ଓଟିଭି ଏମଡି ଘୋଷଣା କଲେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମ ପରିବାରଙ୍କ ପାଇଁ ଆର୍ଥିକ ସହାୟତା ରାଶି

ଭୁବନେଶ୍ୱର: ଆରପାରିରେ ଓଡ଼ିଶାର ନିର୍ଭୀକ ସାମ୍ବାଦିକ ଅରିନ୍ଦମ ଦାସ। ତେବେ ଅରିନ୍ଦମଙ୍କ ମୃତ୍ୟୁରେ ସମଗ୍ର ଓଡ଼ିଶା ଶୋକ ମ୍ରିୟମାଣ ହୋଇଛନ୍ତି। ଅନ୍ୟପଟେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ପରିବାରକୁ ସହାୟତା ଘୋଷଣା କରାଯାଇଛି। ଓଡିଶା ଟିଭି (ଓଟିଭି) ପକ୍ଷରୁ ୨୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏହି ଘୋଷଣା କରିଛନ୍ତି ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡା । ଏହାସହିତ ‘ଅରିନ୍ଦମଙ୍କ ଅକାଳ ବିୟୋଗ ଅପୂରଣୀୟ କ୍ଷତି । କେବଳ ମୋ ପାଇଁ ନୁହେଁ ସାରା ଅନୁଷ୍ଠାନ ପାଇଁ ଅପୂରଣୀୟ କ୍ଷତି । ଆଉ ଜଣେ ଅରିନ୍ଦମ କେବେ ବି ସୃଷ୍ଟି ହୋଇପାରିବେ ନାହିଁ । କୌଣସି ଆର୍ଥିକ ସହାୟତା ଏ ଅପୂରଣୀୟ କ୍ଷତି ଭରଣା କରିପାରିବନି’ ବୋଲି ସେ ଶୋକ ପ୍ରକାଶ କରି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ମୁଣ୍ଡଳୀ ବ୍ୟାରେଜ ଠାରେ ଫସିଥିବା ଏକ ହାତୀଟିକୁ ଉଦ୍ଧାର କରିବା ପାଇଁ ଓଡ୍ରାଫ୍ଟ ଟିମର ବୋଟ ଓଲଟି ପଡିଥିଲା । ଯେଉଁଥିରେ ଓଟିଭି ରିପୋର୍ଟର ଅରିନ୍ଦମ ଦାସ ଓ କ୍ୟାମେରା ପର୍ସନ ପ୍ରଭାତ ସିହ୍ନା ଥିଲେ । ପରବର୍ତୀ ସମୟରେ ଏକ ଡଙ୍ଗା ସାହାଯ୍ୟରେ ଅରିନ୍ଦମଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ପହଂଚିବା ପୂର୍ବରୁ ହିଁ ଆରପାରିକୁ ଚାଲି ଯାଇଥିଲେ ଅରିନ୍ଦମ।ଅନ୍ୟପଟେ କ୍ୟାମେରା ମ୍ୟାନ ପ୍ରସନ୍ନ ସିହ୍ନାଙ୍କୁ ଗୁରୁତର ଭାବରେ ଆଇସିୟୁରେ ଭର୍ତି କରାଯାଇଥିବା ଏସସିବି ଜରୁରୀକାଳୀନ ଅଧିକାରୀ ସୂଚନା ଦେଇଛନ୍ତି । ଅରିନ୍ଦମଙ୍କ ଅକାଳ ମୃତ୍ୟୁ ନେଇ ଖବର ମିଳିବା ପରେ ଓଡିଆ ଗଣମାଧ୍ୟମରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *