ଅକ୍ସଫୋର୍ଡ଼ର କରୋନା ଟିକା ପ୍ରୟୋଗ ଯୋଗୁ ଜଣେ ମହିଳାଙ୍କର କ’ଣ ହେଲା ଯେଉଁଥିପାଇଁ ପରୀକ୍ଷଣକୁ ରୋକାଗଲା ! ପଢନ୍ତୁ ପୁରା ରିପୋର୍ଟ

ସମଗ୍ର ବିଶ୍ୱ କରୋନା ଟିକାକୁ ଅପେକ୍ଷା କରିଥିବାବେଳେ ଏଭଳି ପରିସ୍ଥିତିରେ ଅକ୍ସଫୋର୍ଡ଼ର ଟିକା ପରୀକ୍ଷଣକୁ ବନ୍ଦ କରାଯିବାରୁ ଲୋକଙ୍କ ଆଶାକୁ ଲାଗିଛି ଏକ ଝଟକା । ପରୀକ୍ଷଣ ସମୟରେ ଜଣେ ରୋଗୀଙ୍କର କିଛି ଅସୁବିଧା ହେବାରୁ ଏହି ଟିକା ପରୀକ୍ଷଣକୁ ବନ୍ଦ କରାଯାଇଥିଲା । ତେବେ ସୂଚନା ଅନୁଯାୟୀ ଅକ୍ସଫୋର୍ଡ଼ ୟୁନିଭରସିଟି ଏବଂ ଆଷ୍ଟ୍ରାଜେନେକା ମିଳିତ ଭାବରେ କରୋନା ଟିକା ପ୍ରସ୍ତୁତ କରୁଛନ୍ତି ।

ଆଷ୍ଟ୍ରାଜେନେକା ତରଫରୁ କୁହାଯାଇଛି ଯେ ଟିକା ନେଲା ପରେ ଜଣେ ବ୍ରିଟେନ ମହିଳାଙ୍କର ମେରୁଦଣ୍ଡ ଫୁଲିଯାଇଛି । ଏହା କ୍ୱଚିତ୍ ଦେଖାଯାଏ । ତଥାପି ଟିକା ପରୀକ୍ଷଣକୁ କମ୍ପାନୀ ତରଫରୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ଵାହୀ ଏକ ସମ୍ମିଳନୀରେ କହିଛନ୍ତି ଯେ ରୋଗୀର ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସୁଧୁରୁଛି ଏବଂ ତାଙ୍କୁ ଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ କରାଯିବ।

ଆଷ୍ଟ୍ରାଜେନେକାର ମୁଖ୍ୟ କାର୍ଯ୍ୟନିର୍ଵାହୀ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଏକ ରୁଟିନ ଆକ୍ସନ ଯାହା ଯେକୌଣସି ପରୀକ୍ଷଣରେ ଏକ ଅଜ୍ଞାତ ରୋଗ ପରୀକ୍ଷା କରିବା ସମୟରେ ହୋଇଥାଏ । ଆମେ ସୁନିଶ୍ଚିତ କରୁଛୁ ଯେ ପରୀକ୍ଷଣ ସମ୍ପୂର୍ଣ୍ଣ ସଚ୍ଚୋଟତାର ସହିତ କରାଯାଉ । ସମୀକ୍ଷାକୁ ତ୍ୱରାନ୍ୱିତ କରିବା ଏବଂ ପରୀକ୍ଷଣ ସମୟ ସୀମା ଉପରେ ସମ୍ଭାବ୍ୟ ପ୍ରଭାବ ହ୍ରାସ କରିବା ପାଇଁ କାର୍ଯ୍ୟ କରାଯାଉଛି ।

ଟିକାର ବିକାଶ ପ୍ରକ୍ରିୟାରେ ଜଡିତ ଜଣେ ବ୍ୟକ୍ତିଙ୍କ ଅନୁଯାୟୀ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସତର୍କତାକୁ ଦୃଷ୍ଟିରେ ରଖି ଏହି ପରୀକ୍ଷା ସ୍ଥଗିତ ରଖାଯାଇଛି । ଅନ୍ୟ ଜଣେ ବ୍ୟକ୍ତି, ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ ଆଷ୍ଟ୍ରାଜେନେକାର ସମସ୍ତ ଟିକା ପରୀକ୍ଷା ଉପରେ ଏହି ଘଟଣାର ପ୍ରଭାବ ପଡିଛି । ଏମିତିକି ଅନ୍ୟ ଟିକା ଉତ୍ପାଦନକାରୀଙ୍କ ଦ୍ୱାରା କରାଯାଉଥିବା କ୍ଲିନିକାଲ୍ ପରୀକ୍ଷା ମଧ୍ୟ ପ୍ରଭାବିତ ହୋଇଛି । ତେବେ ପରୀକ୍ଷଣ ବନ୍ଦ ହେବାର ଗୋଟିଏ ଦିନ ପୂର୍ବରୁ ହିଁ ଆଷ୍ଟ୍ରାଜେନେକା ସମେତ ୮ଟି ଫାର୍ମାସ୍ୟୁଟିକାଲ୍ କମ୍ପାନୀକୁ କୁହାଯାଇଥିଲା ଯେ ସେମାନଙ୍କର ଟିକା ସମ୍ପୂର୍ଣ୍ଣ ରୂପେ ନୈତିକତା ଏବଂ ବୈଜ୍ଞାନିକ ମାନଦଣ୍ଡରେ କରାଯାଉଛି ।

ରୋଗୀର ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଅକ୍ସଫୋର୍ଡ ଟିକା ପରୀକ୍ଷା ସାରା ବିଶ୍ୱରେ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଏହାର ପରୀକ୍ଷଣ ଭାରତରେ ମଧ୍ୟ ବନ୍ଦ ହୋଇଯାଇଛି । ଏହାସହିତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ କୁହାଯାଇଛି ଯେ କୌଣସି ବି ପରିସ୍ଥିତିରେ ଟିକାର ସୁରକ୍ଷା ସହିତ କିଛି ବି ବୁଝାମଣା ଚଳିବନି । WHO ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ଵାମୀନାଥନଙ୍କ କହିବାନୁଯାୟୀ କୋଭିଡ-୧୯ ଟିକାର ପ୍ରଥମ ଏବଂ ଜରୁରୀ ପ୍ରାଥମିକତା ହେଉଛି ଏହାର ସୁରକ୍ଷା । ଶୀଘ୍ର ଟିକା ପ୍ରସ୍ତୁତ କରିବା ଅର୍ଥ ନୁହେଁ ଯେ ଏହାର ସୁରକ୍ଷା ଉପରେ କୌଣସି ପ୍ରକାରର ଆପୋଷ ବୁଝାମଣା କିମ୍ବା ରିହାତି ଦିଆଯିବା ଉଚିତ୍ ।

Leave a Reply

Your email address will not be published. Required fields are marked *