ଆଜି ଏସସିବି କୋଭିଡ୍ ହସ୍ପିଟାଲରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବିୟୋଗ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲାବେଳେ ଏ ଦୁଃଖଦ ସମ୍ବାଦ ଦେଇଥିଲେ ଏସସିବିର ଜରୁରୀକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା ।
ସୂଚନା ଅନୁସାରେ ଡିସେମ୍ବର ୨୫ ତାରିଖ ଦିନ ପ୍ରକାଶ ରାଓ ଅସୁସ୍ଥ ହୋଇ ପଡ଼ିଥିଲେ ଏବଂ ତାଙ୍କୁ ତୁରନ୍ତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ସେ କରୋନା କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ ଏବଂ ତାଙ୍କୁ ଏସସିବି କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଏମିତିକି କ୍ରମେ ରାଓଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା ଏବଂ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ସହିତ ତାଙ୍କ ଚିକିତ୍ସା ପାଇଁ ଏକ ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା ।

ଗତ କିଛି ଦିନ ତଳେ ତାଙ୍କ କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିଥିବା ସତ୍ତ୍ୱେ ଆଜି ଅପରାହ୍ନ ୪.୧୫ ମିନିଟରେ ସେ ସବୁଦିନ ପାଇଁ ଆଖି ବୁଜିଦେଲେ । ଡି. ରାଓଙ୍କ ଝିଅ କହିବାନୁସାରେ ବାପାଙ୍କ ମୃତ୍ୟୁ ବ୍ରେନ ଷ୍ଟ୍ରୋକରେ ହୋଇଛି । ସୂଚନାଥାଉ ଯେ ଅସାଧାରଣ ବ୍ୟକ୍ତିତ୍ଵ ସମ୍ପନ୍ନ ପ୍ରକାଶ ରାଓ କଟକ ବକ୍ସିବଜାରରେ ଏକ ଚା’ ଦୋକାନ କରି ଉପାର୍ଜିତ ଅର୍ଥରେ ବସ୍ତି ପିଲାମାନଙ୍କୁ ପାଠ ପଢ଼ାଉଥିଲେ । ନିଜ ଉଦ୍ୟମରେ ସ୍କୁଲ କରିବା ସହିତ ୨୦୦ରୁ ଅଧିକ ଥର ରକ୍ତଦାନ କରିଥିଲେ । ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ‘ମନକି ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଡି. ପ୍ରକାଶ ରାଓଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ ।

ତେବେ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ପରଲୋକ ସମାଜ ପାଇଁ ଏକ ଅପୁରଣୀୟ କ୍ଷତି ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିମାନେ ଶୋକ ପ୍ରକାଶ କରିଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଡି. ପ୍ରକାଶ ରାଓଙ୍କ ପରଲୋକରେ ଟ୍ଵିଟ୍ କରି ଗଭୀର ଶୋକ ପ୍ରକାଶ ବ୍ୟକ୍ତ କରିଛନ୍ତି ।