ମହାରାଷ୍ଟ୍ରର ପାଲଘରରେ ଗୋଟିଏ ଯୁବତୀ ନିଜ ପ୍ରେମିକ ସହିତ ବଜାର ବୁଲିବାକୁ ଯାଉଛି । ବହୁତ ସମୟ ପରେ ଘରକୁ ନଫେରିବାରୁ ପରିବାର ଲୋକେ ତାକୁ ଫୋନ କରୁଛନ୍ତି । ଫୋନ ଉଠାଇ ସେ ବ୍ୟସ୍ତ ଅଛି ଏବଂ ପରେ କଲ୍ କରିବ କହି ଫୋନ ଥୋଇ ଦେଉଛି । କିନ୍ତୁ ଏହାପରେ ଯୁବତୀର ପତ୍ତା ମିଳୁନି । କ୍ରମେ ସମୟ ଗଡ଼ିଲା ଏବଂ ପରିବାର ଲୋକେ ଥାନାରେ ଝିଅର ନିଖୋଜ ରିପୋର୍ଟ ଲେଖେଇ ସାରିଥିଲେ । ଏ ସମୟରେ ଗୋଟିଏ ଫ୍ଲାଟରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଲା ଯାହାକୁ ଫ୍ଲାଟର କାନ୍ଥ ତଳେ ଠିକଣା ଲଗାଇ ଦିଆ ଯାଇଥିଲା ।
ଜାନୁୟାରୀ ୧୫ ତାରିଖ ଦିନ ସନ୍ଧ୍ୟାରେ ସହରର ଏହି ଆବାସିକ କଲୋନୀର ଫ୍ଲାଟ ନମ୍ବର ୧୦୧ ଉପରେ ପ୍ରତ୍ୟେକଙ୍କ ଆଖି ଠାକି ଥିଲା । ଜିଲ୍ଲାର ତମାମ ପୋଲିସ ଅଫିସର, ଥାନା ପୋଲିସ, ଆମ୍ବୁଲାନ୍ସ, ପୋଲିସ ଫଟୋଗ୍ରାଫର, ଫୋରେନ୍ସିକ୍ ଏକ୍ସପର୍ଟ ମଧ୍ୟ ଉପସ୍ଥିତ ଥିଲେ । ଆଶ୍ଚର୍ଯ୍ୟ କଥା ଯେ ପୋଲିସ କିଛି ମୁଲିଆଙ୍କୁ ବି ଡାକିଥିଲା । ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ, ଯେ ହେଇଛି କଣ ? ଫ୍ଲାଟ ମାଲିକ ସହିତ ଉକ୍ତ ଫ୍ଲାଟରେ ଭଡ଼ାରେ ରହୁଥିବା ଯୁବକ ସୂରଜ ହରମଲକର (୩୫ ବର୍ଷ) ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ।
ତେବେ ସୂରଜ ନିଜ ପ୍ରେମିକା ଅମିତା ମୋହିତେ ସାଙ୍ଗରେ ଲିଭ୍ ଇନ୍ ରେ ଫ୍ଲାଟ ନମ୍ବର ୧୦୧ରେ ରହି ଆସୁଥିଲେ । କିନ୍ତୁ ସେଦିନ ଅମିତା ଦିଶୁଥିଲେ । କଲୋନୀର ମହିଳାମାନେ କହିଲେ ଯେ କେବଳ ଆଜି ନୁହେଁ ଅନେକ ଦିନରୁ ଅମିତାର ଦେଖା ନାହିଁ । ତେବେ କାନ୍ଥ ପଛରେ ଥିବା ମୃତଦେହ କଣ ଅମିତାର ? ସେପଟେ ସୂରଜ ସହିତ କାହାକୁ ବି କଥାବାର୍ତ୍ତା ହେବାକୁ ପୋଲିସ ବାରଣ କରିଥିଲା । ଫ୍ଲାଟ ବାହାରେ ଭିଡ଼ ଜମୁଥାଏ ଏବଂ ଭିତରେ ପୋଲିସ କାନ୍ଥ ଖୋଳଉଥାନ୍ତି । କିଛି ସମୟ ପରେ କାନ୍ଥ ଭିତରୁ ବାହାରିଲା ମଣିଷର ଏକ ନରକଙ୍କାଳ ।
ଅନେକ ପଚରାଉଚରା ଓ ପୋଲିସର ତଦନ୍ତ ପରେ ଜଣାପଡ଼ିଲା ଯେ ଉଦ୍ଧାର ହୋଇଥିବା ୩୨ ବର୍ଷୀୟ ନରକଙ୍କାଳ ଅମିତା ମୋହିତେର । ଏହାପରେ ପୋଲିସ ସୂରଜଙ୍କୁ ସନ୍ଦେହରେ ତଥା ଅଧିକ ତଦନ୍ତ ପାଇଁ ସାଙ୍ଗରେ ଥାନା ନେଇଗଲେ ଏବଂ ନରକଙ୍କାଳକୁ ପୋଷ୍ଟମର୍ଟମ ପାଇଁ ପଠାଇଦେଲେ । ଚମକେଇ ଦେଲା ଭଳି କଥା ତ ଏଇଆ ଥିଲା ଯେ ଅମିତାର ମୃତଦେହର କଙ୍କାଳ ପୋଲିସ ଫ୍ଲାଟର ଗାଧୁଆଘରର ଉପର କାନ୍ଥରୁ ଖୋଳି କାଢିଲା । ଏହା ୪ ମାସ ତଳର ମୃତଦେହ ଥିଲା । ସେପଟେ ସୂରଜ ଆରମରେ ସେହି ଫ୍ଲାଟରେ ୪୦ ଦିନ ହେବ ରହି ଆସୁଥିଲା ଯାହା ଆହୁରି ଆଚମ୍ବିତ କରୁଥିଲା ।
କାହାଣୀ କିଛି ଏମିତି ଥିଲା । ଅମିତା ଏବଂ ସୂରଜ ଗତ ୬ ବର୍ଷ ଧରି ସମ୍ପର୍କରେ ଅଛନ୍ତି । ଅମିତା ସୂରଜକୁ ବିବାହ କରିବାକୁ ଚାହିଁଲା ବେଳେ ସୂରଜ ସେଥିପାଇଁ ପ୍ରସ୍ତୁତ ନଥିଲେ, ମାତ୍ର ଏକଥା ସେ ନିଜ ମନ ଭିତରେ ରଖିଥିଲେ । ଅମିତାଙ୍କ ଘର ଲୋକେ ଏନେଇ ଜାଣିଲା ପରେ ତାଙ୍କ ବିବାହ ଅନ୍ୟ ସ୍ଥାନରେ କରିବାକୁ ବାହାରିଲେ । ହେଲେ ଅମିତାଙ୍କ ଜିଦ୍ ଓ ପ୍ରେମ ସାମ୍ନାରେ ଘର ଲୋକେ ବି ରାଜି ହେଲେ । ଏହାପରେ ସୂରଜକୁ ସେମାନେ ଘରକୁ ଡାକିଲେ ଏବଂ ସୂରଜ ମଧ୍ୟ ଅମିତା ସହିତ ବିବାହକୁ ମଞ୍ଜୁରି ଦେଲେ । ତେବେ ସୂରଜ କହିଦେଇଥିଲେ ଯେ ତାଙ୍କ ଘର ଲୋକେ ଏ ସମ୍ପର୍କରେ ଖୁସି ନାହାନ୍ତି, ତଥାପି ତାଙ୍କୁ କିଛି ଫରକ ପଡ଼େନା ।
ସେପଟେ ଦୁହିଁଙ୍କୁ ବିବାହର ମଞ୍ଜୁରି ମିଳି ସାରିଥିଲା, ବିବାହ ତାରିଖ କେବଳ ଠିକ ହେବାର ଥିଲା । ବିବାହ ପରେ ଦୁହେଁ ରହିବା ପାଇଁ ତେଣୁ ସୂରଜ ବୃନ୍ଦାବନ ଦର୍ଶନ କମ୍ପ୍ଲେକ୍ସ ଫ୍ଲାଟରେ ରହିବାକୁ ଭଡ଼ା ବି ନେଇ ସାରିଥିଲେ । ପ୍ରତିଦିନ ଅମିତା ବିବାହ କିଣାକିଣି ପାଇଁ ସୂରଜ ସାଙ୍ଗରେ ଯାଉଛି କହି ଘରୁ ବାହାରେ । ୨୧ ଅକ୍ଟୋବର ୨୦୨୦ ଦିନ ରାତି ସୁଦ୍ଧା ଯେତେବେଳେ ଅମିତା ଆଉ ଘରକୁ ଫେରିଲାନି ପରିବାର ଲୋକେ ଭାବିଲେ ବୋଧେ ସେ ସୂରଜ ସହିତ ସେଇ ଫ୍ଲାଟରେ ରହିଗଲା । ଦିନ ଗଡ଼ିଲା ସିନା ହେଲେ ଅମିତାର ଖବର ମିଳିଲାନି । ଅମିତା ଫୋନ ଅଫ୍ ଆସୁଥିଲା ଏବଂ ସୂରଜ କହୁଥିଲେ, ମୁଁ ବାହାରେ ଅଛି, ଘରେ ପହଞ୍ଚି କଥା କରାଉଛି । ବେଳେବେଳେ ଅମିତା ଫୋନ ରିଂ ହୁଏ, ହେଲେ ସେପଟୁ କଟିଯାଏ । ଏମିତିକି ଥରେ ଥରେ ମେସେଜ ଆସେ ଯେ ସେ ଠିକ ଅଛି, କାମରୁ ଫୁରସତ ମିଳିଲେ ସେ କଲ୍ କରିବ ।
ଶେଷରେ ଘଟଣା ରହସ୍ୟମୟ ହେବାକୁ ଲାଗିଲା ଓ ଅମିତା ପରିବାର ଲୋକେ ଥାନାରେ ପହଞ୍ଚି ଝିଅ ନିଖୋଜର ରିପୋର୍ଟ ଲେଖେଇଲେ । ପୋଲିସ ଯାଞ୍ଚ କରିବା ଆରମ୍ଭ କରିବା ସହିତ ଅମିତାର ଭାଇ ସୂରଜଙ୍କୁ ପିଛା କରିବା ଆରମ୍ଭ କରିଦେଲା । ଦିନେ ସାମ୍ନାସାମ୍ନି ପାଇ ସୂରଜ ନିଜ ଭଉଣୀ କଥା ପଚାରି ନେଇ ଥାନାରେ ପହଞ୍ଚିଲା ଅମିତାର ଭାଇ । ପ୍ରଥମେ ସୂରଜ ବାହାନା କରୁଥିଲା କିନ୍ତୁ ପରେ ମାନିଲା ଯେ ଅମିତା ଆଉ ଏ ଦୁନିଆରେ ନାହିଁ । ତାର ହତ୍ୟା ହୋଇଛି ।
ସୂରଜ କହିଲା ଯେ ଅମିତା ତାକୁ ବାହା ହେବାକୁ ଜିଦ୍ ଧରି ବସିଥିଲା ଯେତେବେଳେ କି ସୂରଜ ପୂର୍ବରୁ ବିବାହିତ ଥିଲା । ଦ୍ଵିତୀୟ ବିବାହ ତା ପାଇଁ ଅସମ୍ଭବ ଥିଲା । ପ୍ରଥମେ ସେ ବାହାନା କରି ଅମିତାକୁ ବୁଝାଉଥିଲା ହେଲେ ପରେ ନିଷ୍ପତ୍ତି ନେଲା ଯେ ତାକୁ ଜୀବନରୁ ମାରିଦେବ । ଦିନେ ଅମିତାକୁ ସେ ମାରିଦେଲା ଏବଂ ରହୁଥିବା ଫ୍ଲାଟର ଗାଧୁଆଘର ଉପର କାନ୍ଥ ତଳେ ତା ମୃତଦେହକୁ ଠିକଣା ଲଗାଇଦେଲା । କେବଳ ସିମେଣ୍ଟ, ବାଲି, ଗୋଡ଼ିର ବ୍ୟବସ୍ଥା କଲାନି ବରଂ କିପରି ମୃତଦେହର ଦୁର୍ଗନ୍ଧ ବାହାରକୁ ନଆସିବ ତେଣୁ ଆଣ୍ଟି ଲିକ୍ ଗ୍ଲୁ ଆଣି ଲଗେଇଥିଲା । ଏତିକିରେ ସରି ନଥିଲା କାହାଣୀ । ଅମିତା ଘରବାଲାଙ୍କୁ ଠକିବାକୁ ସେ ବେଳେବେଳେ ମହିଳାଙ୍କ ସ୍ଵରରେ ଅଳ୍ପ କଥା ହେଉଥିଲା ଏବଂ ଅମିତା ଫୋନରୁ ମେସେଜ ଦେଉଥିଲା ଯେ ସେ ବ୍ୟସ୍ତ ରହୁଛି, ଅବସର ମିଳିଲେ କଥା ହେବ । ତେବେ ଶେଷରେ ଧରାପଡ଼ିଲା ଅଭିଯୁକ୍ତ ସୂରଜ ।