ନୂଆଦିଲ୍ଲୀ : ଦେଶ ସାରା ଲକଡାଉନ ପାଇଁ ସାରା ଦେଶରେ ନିୟମିତ ଯାତ୍ରୀବାହୀ ରେଳଗାଡ଼ି, ବିମାନ, ବସ ଓ ଅନ୍ୟାନ୍ୟ ଯାନ ଯାତାୟତ ବନ୍ଦ ରହିଛି । କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ ମଇ ୧୨ ରୁ କେବଳ ପାସେଞ୍ଜର ଟ୍ରେନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ୧୫ ଟି ରେଳ ସହିତ ମଇ ୧୨ ରେ ନୂଆଦିଲ୍ଲୀରୁ ବିଭିନ୍ନ ରାଜ୍ୟକୁ ରେଳ ସେବା ଆରମ୍ଭ ହେବ । ଏସବୁ ରେଳ ପାଇଁ ଟିକେଟ ବୁକିଂ ଆରମ୍ଭ ହେବ ଆସନ୍ତାକାଲି ଅପରାହ୍ନ ୪ ଟାରୁ ।
ଟିକେଟ ବୁକିଂ ପାଇଁ ୱେବସାଇଟ ଆଇ.ଆର.ସି.ଟି.ସି. ବି ଆସନ୍ତାକାଲି ଠାରୁ ଅନଲାଇନରେ ଆରମ୍ଭ ହେଇଯିବ । କିନ୍ତୁ କୌଣସି କାଉଣ୍ଟର ଖୋଲିବନି । କେବଳ ନିଶିନ୍ତ ଟିକେଟ ପାଇଥିବା ବ୍ୟକ୍ତି ପ୍ଲାଟଫର୍ମକୁ ଯିବାକୁ ଅନୁମତି ପାଇବେ ।
ପ୍ଲାଟଫର୍ମରେ ପହଞ୍ଚିଲା ପରେ ଯାତ୍ରୀ ପ୍ରଥମେ ସ୍କ୍ରିନିଂ ପରୀକ୍ଷା ଦେବ ଓ ଯଦି କରୋନା ଜନିତ କୌଣସି ଲକ୍ଷଣ ନଥାଏ ତେବେ ଯାଇ ହିଁ ଯାତ୍ରା କରିପାରିବ ଉକ୍ତ ଯାତ୍ରୀ । ସୂଚନାଯୋଗ୍ୟ ଯେ ରେଳ ଯାତ୍ରା ପାଇଁ ଷ୍ଟେସନକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।