ଫିଲିପାଇନ୍ସରେ ଜଣେ ବ୍ୟକ୍ତି କରୋନା କର୍ଫ୍ୟୁ ନିୟମ ଭାଙ୍ଗିବାରୁ ପୋଲିସ ଏତେ ମାତ୍ରାରେ ରାଗିଲେ ଯେ ତାକୁ ୧୦୦ ଥର ଦଣ୍ଡ ବୈଠକ କରିବାକୁ ନିର୍ଦ୍ଦେଶ ଦେଲା । ଏହାପରେ ବ୍ୟକ୍ତି ଜଣକ ୧୦୦ ଥର ଦଣ୍ଡ ବୈଠକ କଲେ । ଦଣ୍ଡ ପାଇବା ପରେ ମଧ୍ୟ ଉକ୍ତ ବ୍ୟକ୍ତିଙ୍କ ସାହସ ଭାଙ୍ଗି ନପଡ଼ିବା ଦେଖି ଏବଂ ତାକୁ ହସିବା ଦେଖି ପୋଲିସ ଉକ୍ତ ଦଣ୍ଡକୁ ତିନି ଗୁଣ ବଢେଇଦେଲା । ବ୍ୟକ୍ତିକୁ ୩୦୦ ଥର ଉଠବସ କରେଇ ତାକୁ ଛାଡ଼ି ଦେଲେ । କିନ୍ତୁ ଯେତେବେଳେ ସେହି ବ୍ୟକ୍ତି ଘରେ ପହଞ୍ଚିଲେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା ଏବଂ ପରବର୍ତ୍ତୀ କିଛି ଘଣ୍ଟା ମଧ୍ୟରେ ତାଙ୍କର ମୃତ୍ୟୁ ହୋଇଗଲା ।
ଫିଲିପାଇନ୍ସରେ କରୋନା ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି କଠୋର କର୍ଫ୍ୟୁ ଲାଗୁ କରାଯାଇଛି । ତେବେ ଡାରେନ୍ ପେନାରେଡୋଣ୍ଡୋ (୨୮ ବର୍ଷ) ଙ୍କୁ ବାଧ୍ୟ ହୋଇ ଘରୁ ବାହାରିବାକୁ ପଡ଼ିଲା । ତାଙ୍କ ଘରେ ପାଣି ସରିଯିବାରୁ ସେ ବାଧ୍ୟ ହୋଇ ଘରୁ ବାହାରିଥିଲେ । ହେଲେ ସେ ସ୍ଥାନୀୟ ପୋଲିସ ହାବୁଡ଼ରେ ପଡ଼ିଗଲେ ଏବଂ ପୋଲିସର ଅମାନବୀୟତା ଫଳରେ ସେ ଶେଷରେ ପ୍ରାଣ ହରାଇଥିଲେ ।

ଘଟଣାଟି ଅପ୍ରେଲ ୧ ରେ ଘଟିଥିଲା । dailymail ଖବର ଅନୁଯାୟୀ ଫିଲିପାଇନ୍ସରେ କରୋନା ମାମଲା ବୃଦ୍ଧି ହେତୁ ସନ୍ଧ୍ୟା ୬ ଟା ପରେ କର୍ଫ୍ୟୁ ଲାଗୁ କରାଯାଇଛି । କର୍ଫ୍ୟୁ ଉଲ୍ଲଂଘନକାରୀକୁ ପୋଲିସ ଘଟଣାସ୍ଥଳରେ ଦଣ୍ଡିତ କରୁଛି । ଯେତେବେଳେ ଡାରେନ୍ ପେନାରେଡୋଣ୍ଡୋଙ୍କୁ ପ୍ରାଣଘାତକ ଦଣ୍ଡ ଦେଇ ଫିଲିପାଇନ୍ସ ପୋଲିସ ତାଙ୍କ ମୃତ୍ୟୁର କାରଣ ହେଲା ଏହାପରେ ସ୍ଥାନୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଉଚ୍ଚ ପଦାଧିକାରୀ କହିଛନ୍ତି । ଏହାସହିତ ପୋଲିସର ଏହି ମନୋଭାବ ଆନ୍ତର୍ଜାତୀୟ ସ୍ତରରେ ବହୁ ସମାଲୋଚନାର ଶିକାର ହେଉଛି ।
ସୂଚନାଥାଉ ଯେ ଫିଲିପାଇନ୍ସର ମୋଟ ଜନସଂଖ୍ୟା ୧୦୭ ନିୟୁତ । ଏଠାରେ ଥିବା ରାଜଧାନୀ ମାନିଲା ମହାନଗରରେ ପ୍ରତିଦିନ ୧୦ ହଜାରରୁ ଅଧିକ ମାମଲା ଆସୁଥିବା ବେଳେ ଯାହା ପରେ ସରକାରଙ୍କୁ କଠୋର କର୍ଫ୍ୟୁ ନିଷ୍ପତ୍ତି ନେବାକୁ ପଡ଼ିଛି । ତେବେ ଦେଶରେ ସ୍ୱାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଥିବାରୁ ସରକାର ଏଥିପାଇଁ ସମାଲୋଚିତ ହେଉଛନ୍ତି ।