ସଫଳତା ଓ ବିଫଳତା ଏମିତି ଦୁଇ ମାପକାଠି ଯାହା ଭିନ୍ନ ମଣିଷ ପାଇଁ ଭିନ୍ନ ଭିନ୍ନ ସଂଜ୍ଞା ବହନ କରେ । କିନ୍ତୁ ସାମାନ୍ୟ ବିଫଳତା ଯୋଗୁ ଜୀବନ ହାରି ଦେବା ଏକ ରୁଗଣ ମାନସିକତା ନା ସାମାଜିକ ତଥା ପାରିବାରିକ ଚାପ ! କାରଣ ଯାହା ବି ହେଉ କିନ୍ତୁ ଏଇ କିଛି ଦିନ ତଳେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶିତ ହୋଇଥିବା ବେଳେ ପୁଣି ଏକ ଛାତ୍ର ନିଜ ହାତରେ ନିଜ ଜୀବନରେ ପୂର୍ଣ୍ଣଚ୍ଛେଦ ପକାଇ ଦେଇଛନ୍ତି ।
ଗୋଟିଏ ପଟେ ସୁଦୀପ ସୁଦର୍ଶନ ରଣା ନାମକ ଜଣେ ଛାତ୍ର ରାଜ୍ୟରେ ସର୍ବାଧିକ ନମ୍ବର ରଖି ଢେଙ୍କାନାଳ ଜିଲ୍ଲା ଭୁବନ ପାଇଁ ଗର୍ବ ଓ ଗୌରବ ପାଲଟି ଥିବାବେଳେ ଅନ୍ୟପକ୍ଷରେ ଜଣେ ଛାତ୍ର ପରୀକ୍ଷାରେ ବିଫଳ ହେବାରୁ ନିଜ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଏପରି ଶୋଚନୀୟ ଖବର ସମାନ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳରୁ ହିଁ ଆସିଛି ।

ଘଟଣାଟି ଏହିପରି । ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଢେଙ୍କାନାଳ ଜିଲ୍ଲା ଭୁବନ ଗୋଡ଼ିପାଟଣା ସାହି ୱାର୍ଡ ନଂ-୩ ର ଶ୍ରୀଧର ଦାସଙ୍କ ପୁଅ ବୁଲୁ ଦାସ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାରେ ଫେଲ ହୋଇ ଯାଇଥିଲେ । ସେ ଦଶମ ପରୀକ୍ଷାରେ ସେକେଣ୍ଡ ଡିଭିଜନରେ କୃତକାର୍ଯ୍ୟ ହୋଇଥିଲେ ଓ ତାଙ୍କର ଆଶା ଥିଲା ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯିବେ । ସ୍ଥାନୀୟ ବାଜିରାଉତ ସ୍ମୃତି ମହାବିଦ୍ୟାଳୟର ଛାତ୍ର ବୁଲୁ ଦାସ ପରୀକ୍ଷା ଫଳାଫଳ ଜାଣିଲା ପରେ ଘରେ ପହଞ୍ଚି ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି ବୋଲି କହିଥିଲେ । ସାଙ୍ଗ ପାଖକୁ ଯାଉଛି କହି ଗଲେ ଯେ, ସବୁ ଦିନ ପାଇଁ ଜୀବନକୁ ବିଦାୟ ଦେଇ ଚାଲିଗଲେ ।
ବୁଲୁଙ୍କୁ ଘରଲୋକ ଖୋଜିଲେ ଯେତେବେଳେ ଜାଣିଲେ ତାଙ୍କର ପ୍ରକୃତ ପରୀକ୍ଷା ଫଳାଫଳ ଓ ପୁଅ ମିଛ କହି ଘରୁ ଯାଇଛି । ସବୁଆଡେ ଖୋଜାଖୋଜି କରି ନପାଇବାରୁ ଆଜି ଭୁବନ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୋଲିସ ଖୋଜାଖୋଜି କରୁ କରୁ ନିକଟରେ ଥିବା ଭାରତୀ ପାହାଡ଼ ତଳେ ଏକ ଗଛରେ ବୁଲୁଙ୍କ ମୃତ ଦେହ ଝୁଲୁଥିବାର ଦେଖିଲା । ମୃତଦେହ ଜବତ କରି ପୋଲିସ ଏବେ ତଦନ୍ତ ଜାରି ରଖିଛି ।