ଅପ୍ରେଲ ୨୯ ତାରିଖ ବୁଧବାର ଦିନ ଘଟି ଯାଇଛି ଏକ ଅଭାବନୀୟ ଘଟଣା । ସଞ୍ଜବେଳେ ଜଣେ ପୋଲିସ କର୍ମଚାରୀ ନିଜର ବ୍ୟକ୍ତିଗତ କାମ ନେଇ ସାନ ବରୋଣ୍ଡା ଆଡ଼େ ଯାଇଥିଲେ ସଉଦା କିଣିବାକୁ । ଆଳୁ-ପିଆଜ କିଣିବାକୁ ତ ଯାଇଥିଲେ ହେଲେ କିଣି ଆଣିଲେ ଦେହ ସାରା ମାଡ଼ର ଦରଜ ଓ ଅପମାନ । ଏକ ସାକ୍ଷାତକାରରେ ଏ ଘଟଣା ବିଷୟରେ କହିଲାବେଳେ ସେ ଭୋ ଭୋ ହେଇ କାନ୍ଦି ଉଠିଛନ୍ତି ।
ପୋଲିସ କର୍ମଚାରୀଙ୍କ କହିବାନୁଯାୟୀ ଗୋଟେ ଅଧା ସଟର ଖୋଲା ଦୋକାନ ଓ ଦୋକାନ ସାମ୍ନାରେ ଜମିଥିବା ଗ୍ରାହକଙ୍କ ଭିଡ଼ ଦେଖିଲେ । ଦୋକାନୀ ଓ ଭିଡ଼ଙ୍କୁ କରୋନା ସଂକ୍ରମଣର ଭୟଙ୍କରତା ତଥା ଦେଶ ଦୁନିଆ କିପରି ବିପତ୍ତି ଦେଇ ଗତି କରୁଛି ସେ ବିଷୟରେ ସଚେତନ କରନ୍ତେ ବାହାରେ ଠିଆ ହୋଇଥିବା କେତେଜଣ ଯୁବକ ଆକ୍ରମଣ କରିଦେଲେ ତାଙ୍କୁ । ଚାପୁଡ଼ା, ଗୋଇଠା, ବିଧା ମାରି ଚାଲିଲେ ଯେତେବେଳେ କି ପୋଲିସ କର୍ମୀ ବାରମ୍ବାର ପଚାରୁଥାନ୍ତି ଯେ ସେ କଲେ କଣ, କାହିଁକି ଏପରି ହିଂସାତ୍ମକ ବ୍ୟବହାର ତାଙ୍କ ପ୍ରତି !
ପୋଲିସ କର୍ମୀଙ୍କ କହିବାନୁସାରେ ଯେତେବେଳେ ସେ ଆକ୍ରାତ୍ମକ ଯୁବକମାନଙ୍କୁ କାହିଁକି ମୋତେ ମାରୁଛ ପଚାରିଲେ, ସେମାନେ ଉତ୍ତର ଦେଲେ ଯେ ଭଲି ବଲ ଖେଳିଲାବେଳେ ତମେ ସବୁବେଳେ ଆମ ନେଟ ଆଉ ବଲ ନେଇଯାଉଛ, କ୍ରିକେଟ ଖେଳିଲେ ବ୍ୟାଟ, ବଲ ନେଇଯାଉଛ, ଆଜି ମଉକା ମିଳିଛି, ତମକୁ ଛାଡ଼ିବାର ନାଇଁ । ଏକ ସାକ୍ଷାତକାରରେ ସେ ଘଟଣା ସମ୍ପର୍କରେ କହିଲାବେଳେ ବାରମ୍ବାର କାନ୍ଦି ପକାଇଛନ୍ତି । ଏନେଇ ସେ ତାଙ୍କ ଉପରୋକ୍ତ ଅଫିସରଙ୍କୁ ଅଭିଯୋଗ ମଧ୍ୟ କରିଛନ୍ତି ବୋଲି କହିଛନ୍ତି ।