ତପସ୍ୱିନୀଙ୍କ ପାଇଁ ଆଇନ ପାଠ ପଢିଲେ ପୋଲିସ ବାବୁ, ଶିକ୍ଷକ ସାଜିଲେ ଓକିଲ , ଦେଖନ୍ତୁ ଭିଡ଼ିଓ

ସଂସ୍କାର : ଏକପ୍ରକାରର ସମାଧାନର ବାଟ ବାହାରି ସାରିଛି ବହୁଚର୍ଚ୍ଚିତ ତପସ୍ୱିନୀ ଆଉ ସୁମିତଙ୍କର ମାମଲାରେ। ସୁମିତଙ୍କର ଘରେ ହିଁ ତପସ୍ୱିନୀ ରହିବେ ବୋଲି କୋର୍ଟ କହିସାରିଛନ୍ତି। ସେପଟେ ତପସ୍ୱିନୀ ଶ୍ଵଶୁର ଘରେ ପ୍ରବେଶ କରିବା ପରେ ନିଜେ ଶ୍ଵଶୁର ପ୍ରମୋଦ ସାହୁ ଘର ଛାଡ଼ି କେଉଁଆଡ଼େ ଉଭାନ ହୋଇଯାଇଛନ୍ତି। ସେ କହିଛନ୍ତି ଯେ, ତାଙ୍କ ବୋହୂଙ୍କୁ ଦେଖିଲେ ତାଙ୍କୁ ଡର ଲାଗୁଛି। ଏକ ଭିଡିଓ ଜାରି କରି ଏହି କଥା କହିଛନ୍ତି ତପସ୍ୱିନୀଙ୍କର ଶ୍ଵଶୁର।

ଏହି ପାରିବାରିକ କଳି ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। ତେବେ ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ବୈବାହିକ ବିବାଦ ମାମଲାର ସମାଧାନ କରିସାରିଛନ୍ତି ଜିଲ୍ଲା କୋର୍ଟ । ଏଣିକି ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗର ଘରେ ହିଁ ତପସ୍ୱିନୀ ରହିବେ ବୋଲି କୋର୍ଟ ଗତ ୪ ତାରିଖ ଦିନ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ପରେ ବି ଥମୁନି ତପସ୍ୱିନୀ ଓ ସୁମିତଙ୍କ ବିବାଦ। ତେବେ କୋର୍ଟଙ୍କର ରାୟକୁ ଖାତିର ନ କରି ତପସ୍ୱିନୀଙ୍କୁ ଘରେ ପୁରାଇ ନଥିଲେ ଶ୍ଵଶୁର ପ୍ରମୋଦ। ଯାହାକୁ ନେଇ ତପସ୍ୱିନୀଙ୍କ ଓକିଲ ଓ ପୋଲିସଙ୍କ ମଧ୍ୟରେ ଯୁକ୍ତତର୍କ ହୋଇଥିଲା । ଏମିତିକି ପୋଲିସ ବାବୁଙ୍କୁ ୧୦ ମିନିଟ ପାଇଁ ଓକିଲାତି ପାଠ ପଢ଼ାଇଥିଲେ ତପସ୍ୱିନୀଙ୍କ ଓକିଲ।

ରାଜ୍ୟ ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି ଯେ, ତପସ୍ୱିନୀ କୋର୍ଟ ଅର୍ଡର ପରେ ନିଜ ସ୍ୱାମୀ ଡାକ୍ତର ସୁମତିଙ୍କ ରହିବାକୁ ଘରକୁ ଯିବାକୁ ଚାହୁଁଥିଲେ । କିନ୍ତୁ କବାଟ ବନ୍ଦ ଥିବାରୁ ସେ ପୁଣି ବାହାରେ ବସିଥିଲେ । ଏହି ସମୟରେ ପୋଲିସ ଆସିବାରୁ ତପସ୍ୱିନୀଙ୍କ ଓକିଲଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ତେବେ କୋର୍ଟଙ୍କ ଅର୍ଡର ସମ୍ପର୍କରେ ପୋଲିସକୁ ବୁଝାଇଥିଲେ ତପସ୍ୱିନୀଙ୍କ ଓକିଲ।ଡାକ୍ତରଙ୍କ ସ୍ତ୍ରୀ ହୋଇ ତପସ୍ୱିନୀ ରହିବେ ବୋଲି ଓକିଲ କହିଥିଲେ। ଆଉ ତାପରେ ତପସ୍ୱିନୀ ଗୃହ ପ୍ରବେଶ କରିଥିଲେ। ହେଲେ ବର୍ତ୍ତମାନ ତପସ୍ୱିନୀଙ୍କ ସ୍ୱାମୀ ସୁମିତ ଘରେ ନ ଥିବା ବେଳେ, ଅନ୍ୟପଟେ ଶ୍ଵଶୁର ପ୍ରମୋଦ ସାହୁ ବୋହୂ ତପସ୍ୱିନୀଙ୍କୁ ଡରି ଘର ଛାଡ଼ି ପଳାଇଛନ୍ତି। ଆଉ ଏମାନଙ୍କର ଏହି କଳହ କେବେ ବନ୍ଦ ହେବ ତାହା ଦେଖିବାକୁ ଓଡ଼ିଶାବାସୀ ବି ଅପେକ୍ଷା କରିଛନ୍ତି।

Leave a Reply

Your email address will not be published. Required fields are marked *