ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଥିବା ମୃଦୁପାନୀୟ କମ୍ପାନୀ ଉପରେ ହଠାତ ଚଢାଉ କରିଛି ପୋଲିସ । ଅପମିଶ୍ରଣ କାରବାର ଚାଲିଥିବା ନେଇ ଖବର ପାଇବା ପରେ ମଞ୍ଚେଶ୍ୱର ପୋଲିସ ଏହି ପଦକ୍ଷେପ ନେଇଥିବା କଥା ଜାଣିବାକୁ ମିଳିଛି । ତେବେ ସେହି କମ୍ପାନୀ ବଜାରରେ ମିଳୁଥିବା ବିଭିନ୍ନ ନାମୀ ବ୍ରାଣ୍ଡର ମୃଦୁପାନୀୟର ନାଁକୁ ସାମାନ୍ୟ ପରିବର୍ତ୍ତନ କରି ନିଜର ଜିନିଷ ତିଆରି କରୁଥିଲା ଏବଂ ବଜାରକୁ ଛାଡୁଥିଲା ।

ମିଳିଥିବା ଖବର ମୁତାବକ ଚଢାଉ କରାଯାଇଥିବା କମ୍ପାନୀର ନା ଅଛି ରେଜିଷ୍ଟ୍ରେସନ ନମ୍ବର ନା ଅଛନ୍ତି ଲ୍ୟାବ ଟେକନିସିଆନ୍ । ଯେଉଁ ସାମଗ୍ରୀରେ ଅପମିଶ୍ରଣ କରାଯାଉଥିଲା ତାହା ସାଇଟ୍ରିକ ଏସିଡ ଏବଂ ଦିଆଯାଉଥିବା ଫ୍ଲେଭର ବି କୌଣସି ବ୍ରାଣ୍ଡର କିମ୍ବା ଟ୍ରେଡ ମାର୍କର ଫ୍ଲେଭର ନୁହେଁ । ତେବେ ପୋଲିସର ଚଢାଉ ବେଳେ ଫୁଡ ଇନ୍ସପେକ୍ଟର ଏନେଇ ସୂଚନା ଦେଇଥିଲେ ।