ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ଵରରେ ସମେତ କଟକରେ ଦୋକାନ ଖୋଲିବାକୁ ନେଇ ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି ପୋଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ । ନୂଆ ନିୟମ ଅନୁସାରେ ଦୋକାନରେ ଦୁଇ ଜଣ ବ୍ୟକ୍ତି ଅତିକମରେ ୬ ଫୁଟ ଦୂରତା ରକ୍ଷା କରିବେ । ଦୋକାନୀମାନେ ମଧ୍ୟ ଏ ନେଇ ନିଘା ଦେବେ । କେବଳ ଅନୁମତିପ୍ରାପ୍ତ ଦୋକାନ ଖୋଲିବ ଓ ସମୟ ନିର୍ଘଣ୍ଟ କଡ଼ାକଡ଼ି ହେବ । ନିୟମ ଉଲଂଘନ କଲେ ଉଭୟ ଦୋକାନୀ ଓ ଗ୍ରାହକଙ୍କୁ ଜୋରିମାନା ଦେବାକୁ ପଡ଼ିବ ।
ଗ୍ରାହକମାନେ ବି ଯଦି ସାମାଜିକ ଦୂରତ୍ୱ ନ ରଖନ୍ତି ତେବେ ସେ ବି ଦଣ୍ଡର ଅଧିକାରୀ ହେବେ ଓ ଏ ବାବଦରେ ଦୋକାନୀ ହିଁ ୧୦୦ ଡାଏଲ କରି ପୋଲିସ ଜଣାଇବେ । ଦୋକାନୀ ନିୟମ ଭାଙ୍ଗିଲେ ସେ ମଧ୍ୟ ସମାନ ରୂପେ ଦାୟୀ ରହିବେ । ସବୁ ଦୋକାନ କର୍ମଚାରୀ ମାସ୍କ ପିନ୍ଧିବା ଓ ସାନିଟାଇଜର ପାଖରେ ରଖିବା ବାଧ୍ୟତାମୂଳକ ।
ଗ୍ରାହକମାନେ ମାସ୍କ ପିନ୍ଧି ନଥିଲେ ସଉଦା କିଣିପାରିବେନି । ଏମିତିକି ଦୋକାନ ଭିତରକୁ ଯାଇପାରିବେନି । ପାନ କିମ୍ବା ଗୁଟଖା ପାଟିରେ ଥିଲେ ବାହାରକୁ ବାହାରିବେନି କି ବାହାରେ ଛେପ ପକେଇବେନି । ନିୟମ ଖିଲାପ କଲେ ଦୋକାନୀ ଓ ଗ୍ରାହକ ଉଭଯଙ୍କୁ ୫୦୦ ଟଙ୍କା ଯାଏଁ ଜରିମାନା ଦେବାକୁ ପଡ଼ିବ । ମଇ ୧ ତାରିଖରୁ ଏହି ଅଧିନିୟମ କାର୍ଯ୍ୟକାରୀ ହେବ ଓ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗାଇଡ୍ଲାଇନ୍ରେ ଉଲ୍ଲେଖ ରହିଛି ।