ଶନିବାର ଦିନ ରାଜସ୍ଥାନର ପ୍ରତାପଗଡ଼ ଜିଲ୍ଲାର ଆଦିବାସୀ ବହୁଳ ଘଣ୍ଟାଲି ଥାନା ଅଞ୍ଚଳରେ ଥିବା ଏକ ଗାଁରେ ଜଣେ ପୋଲିସ କନଷ୍ଟେବଳକୁ ଉଲଗ୍ନ କରି ମାଡ଼ ମାରିଥିବା ଘଟଣା ସାମ୍ନାକୁ ଆସିଛି । ସୋସିଆଲ ମିଡ଼ିଆରେ ଏହାର ଭିଡ଼ିଓ ନିଆଁ ଭଳି ବ୍ୟାପିଗଲାଣି । ପରେ ପୋଲିସ ଗ୍ରାମବାସୀଙ୍କୁ ବୁଝାଇସୁଝାଇ କନଷ୍ଟେବଳଙ୍କୁ ନିଜ ସାଙ୍ଗରେ ନେଇଥିଲା । ସୂଚନାଥାଉ ଯେ ମାଡ଼ ଖାଇଥିବା କନେଷ୍ଟବଳ ଜଣକ ପିପୁଲଖୁଣ୍ଟ ଥାନାରେ ନିଯୁକ୍ତ । କେହି ଜଣେ ଡାକିଥିବା ହେତୁ ସେ ସେହି ଗାଁକୁ ଯାଇଥିଲେ ଏବଂ ଅଭିଯୋଗ ଆଧାରରେ ଗ୍ରାମବାସୀଙ୍କ ବିରୋଧରେ ପୋଲିସ ଏକ ରିପୋର୍ଟ ଦାଖଲ କରିଛି ।
ପୋଲିସ ଦେଇଥିବା ସୂଚନାନୁସାରେ, କନଷ୍ଟେବଳ ଲାଲୁରାମ ଖରାଡ଼ୀ ପାନାଘାଟୀ ଗାଁର ଜଣେ ମହିଳାଙ୍କୁ ୧୫ ହଜାର ଟଙ୍କା ଋଣ ଦେଇଥିଲେ । ତେଣୁ ଦେଇଥିବା ଟଙ୍କା ଫେରସ୍ତ ନେବାକୁ ସେ ଋଣ ନେଇଥିବା ମହିଳାଙ୍କ ପାଖକୁ ଯାଇଥିଲେ । ଏହାପରେ ମହିଳା କହିବାରୁ ସେ ଖାଦ୍ୟ ଖାଇଥିଲେ ଯାହା ଆମିଷ ଥିଲା । ଏ ବିଷୟରେ ଯେତେବେଳେ ମହିଳାଙ୍କ ଜା’ଦେଢଶୁର ଜଣାପଡ଼ିଲା ସେମାନେ ଗାଁଲୋକଙ୍କୁ ନେଇ ସେଠାରେ ପହଞ୍ଚିଗଲେ । ପ୍ରାୟ ସମୟ ଗାଁକୁ ଆସି ମାଂସ ଭୋଜି କରି ଖାଉଥିବ ଅଭିଯୋଗ କରି ଗାଁଲୋକେ କନେଷ୍ଟବଳକୁ ପିଟିବା ଆରମ୍ଭ କରିଦେଲେ ।
ଗାଁ ଲୋକେ ବାଡ଼େଇ ବାଡ଼େଇ ଉକ୍ତ କନଷ୍ଟେବଳଙ୍କୁ କ୍ଷେତକୁ ନେଇ ଗଲେ ଏବଂ ସେଠାରେ ତାଙ୍କୁ ଉଲଗ୍ନ କରି ଏକ ଗଛରେ ବାନ୍ଧି ଦେଲେ । ଏ ସମୟରେ ଉପସ୍ଥିତ କିଛି ଲୋକ ଏହାର ଏକ ଭିଡ଼ିଓ ପ୍ରସ୍ତୁତ କରିଥିଲେ, ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସୂଚନାଥାଉ ଯେ ଲକଡାଉନ ହେତୁ କନଷ୍ଟେବଳ ଲାଲୁରାମଙ୍କ ଡ୍ୟୁଟି ପିପଲଖୁଣ୍ଟ ସହରର ମୁଖ୍ୟ ବଜାରରେ ଥିଲା । ତେବେ ଭାଇରାଲ ହେଇ ଭିଡ଼ିଓଟି ଯାଇ ପୋଲିସ ପାଖରେ ପହଞ୍ଚିଥିଲା ଏବଂ ଖୋଜିଲା ବେଳକୁ ଡ୍ୟୁଟିରେ ନଥିଲେ । ଏ ସମୟରେ କେହିଜଣେ ଘଣ୍ଟାଲି ଥାନାକୁ ସୂଚନା ଦେଇଥିଲେ ଯେ ଗାଁଲୋକେ ମିଶି ଲାଲୁରାମଙ୍କୁ ମାଡ଼ ମାରୁଛନ୍ତି । ଏହାପରେ ପୋଲିସ ଟିମ୍ ପାନାଘାଟୀ ଗାଁରେ ପହଞ୍ଚି କନଷ୍ଟେବଳଙ୍କୁ ଉଦ୍ଧାର କରି ସାଙ୍ଗରେ ନେଇଥିଲେ । କନଷ୍ଟେବଳଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି ।
ଭାଇରାଲ ଭିଡ଼ିଓରେ ଗ୍ରାମବାସୀ କହୁଛନ୍ତି ଯେ କନଷ୍ଟେବଳ ଆସି ପ୍ରାୟ ସମୟ ଗାଁରେ ଫୁଟାଣି ମାରେ । ମହିଳାଙ୍କ ଘରେ ମାଂସ ଭୋଜି କରି ଖାଏ । ମହିଳା ଜଣକ ବିଧବା ଥିବାବେଳେ ତାଙ୍କର ୩ ଟା ଝିଅ ଅଛନ୍ତି । ସେପଟେ ମହିଳାଙ୍କ ପରିବାର ସଦସ୍ୟ କହିଛନ୍ତି ଯେ କନଷ୍ଟେବଳଙ୍କ ଆମ ଝିଅଙ୍କ ଉପରେ ଖରାପ ନଜର ଥିଲା । ତାଙ୍କୁ ଅନେକ ଥର ବୁଝାଯାଇଥିଲା କିନ୍ତୁ ସେ ତାଙ୍କ ପ୍ରକୃତି ଛାଡ଼ି ନଥିଲେ । ତେଣୁ ତାଙ୍କୁ ଏକ ଶିକ୍ଷା ଦେବା ପାଇଁ ଗାଁଲୋକେ ମିଶି ମାଡ଼ ମାରିଛନ୍ତି ।