ଯଦିଓ କରୋନା ଆତଙ୍କ ସାରା ବିଶ୍ଵକୁ ବଶୀଭୂତ କରିଛି କିନ୍ତୁ ଅପରପକ୍ଷରେ ସ୍ୱାସ୍ଥ୍ୟ ପ୍ରତି ସଚେତନତା ବି ଦେଉଛି । ଏହି ସୂତ୍ରରେ ଏବେ କମିଶନରେଟ ପୋଲିସକୁ ଘାରିଲାଣି ଫିଟନେସ୍ ଚିନ୍ତା । କମିଶନରେଟ ପୋଲିସର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଫିଟ୍ ରହିବା ବାଧ୍ୟତାମୂଳକ ନଚେତ ଅନେକ ସୁବିଧା ସୁଯୋଗ କାଟିଦିଆଯିବ ବୋଲି ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
ମାସକ ଭିତରେ ସମସ୍ତଙ୍କୁ ପେଟ କମାଇବାକୁ ନିର୍ଦ୍ଦେଶ ରହିଛି । ଏହି ପ୍ରକ୍ରିୟାରେ ସମସ୍ତ ପୋଲିସ କର୍ମଚାରୀଙ୍କ ଫିଟନେସ୍ ଟେଷ୍ଟ ହେବ ଓ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ । ୩ ମାସ ପରେ ପୁଣିଥରେ ନଭେମ୍ବର ମାସରେ ସମସ୍ତଙ୍କ ଓଜନ ମପାଯିବ । ଯେଉଁମାନେ ଫିଟନେସ୍ରେ ଅଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ତୁରନ୍ତ ଫିଟନେସ୍ ଠିକ୍ କରିବାକୁ ସମୟ ଦିଆଯିବ ଏବଂ ନିର୍ଦ୍ଧାରିତ ସମୟ ଭିତରେ ଫିଟନେସ୍ ବଜାୟ ନରଖିଲେ ସେମାନଙ୍କୁ କମିଶନରେଟରୁ ବିଦା ହେବାକୁ ପଡ଼ିବ ।
ପୋଲିସ କମିଶନରଙ୍କ କହିବାନୁଯାୟୀ କରୋନା କଟକଣା ସମୟରେ ପୋଲିସ ଦାୟିତ୍ୱ ଅଧିକ ଓ ଗୁରୁତ୍ୱପୂର୍ଣ୍ଣ ବି । ଜନତାଙ୍କ ସୁରକ୍ଷା ଭାର ସେମାନଙ୍କ ଉପରେ । ପୋଲିସ କର୍ମଚାରୀମାନେ ପ୍ରାରମ୍ଭିକ ପ୍ରଶିକ୍ଷଣ ସମୟରେ ତ ବେଶ ଫିଟ୍ ଥାଇ ପୋଲିସ ବିଭାଗରେ ଯୋଗ ଦିଅନ୍ତି ହେଲେ ପରବର୍ତ୍ତୀ ସମୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତି ନାହିଁ । ଫଳରେ ଅଧିକାଂଶ ରକ୍ତଚାପ, ମଧୁମେହ, ମେଦବହୁଳତା ପରି ସମସ୍ୟାର ସମ୍ମୁଖୀନ ହୁଅନ୍ତି ।
କେବଳ ଜନସାଧାରଣଙ୍କ ସୁରକ୍ଷା ପାଇଁ ନୁହେଁ ନିଜେ ବି କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୋଲିସଙ୍କୁ ଫିଟ ରହିବା ଆବଶ୍ୟକ ବୋଲି କମିଶନର କହିଛନ୍ତି । ତେଣୁ ଆସନ୍ତା ଏକ ସପ୍ତାହ ମଧ୍ୟରେ ସମସ୍ତ କର୍ମଚାରୀଙ୍କ ଉଚ୍ଚତା ଓ ଓଜନ ମାପି ବଡ଼ି ମାସ୍ ଇନଡ଼େକ୍ସ ଅନୁସାରେ ଆନୁପାତିକ ଓଜନ କେତେ ରହିବା ଉଚିତ ଲିଖିତ ଭାବେ ଜଣାଇଦିଆଯିବ । ଏ ସଂକ୍ରାନ୍ତୀୟ ତଥ୍ୟ ପୋଲିସ ଡାକ୍ତରଖାନାରେ ରଖାଯିବ ଓ ୩ ମାସ ପରେ ଆଉଥରେ ସମସ୍ତଙ୍କ ଓଜନ ମପାଯିବ । ଏହି ଫିଟନେସ ଉପରେ ନିର୍ଭର କରିବ ଦରମା ବୃଦ୍ଧି । ଦରକାର ପଡ଼ିଲେ ବାଧ୍ୟତାମୂଳକ ଅବସର ଦିଆଯାଇପାରେ ଚେତାଇ ଦିଆଯାଇଛି ।