ଜନପ୍ରିୟ ହିନ୍ଦୀ ଫିଲ୍ମ ଦବଙ୍ଗ ଏବଂ ସିଙ୍ଗହମରେ ଖଳନାୟକ ଭୂମିକାରେ ଅଭିନୟ କରିଥିବା ଅଭିନେତା ପ୍ରକାଶ ରାଜଙ୍କୁ ତାଙ୍କର ଉତ୍କୃଷ୍ଟ ଅଭିନୟ ଏବଂ ଖୋଲାଖୋଲି ମିଜାଜ ପାଇଁ ଜଣାଯାଏ । ଏହାସହିତ ପ୍ରକାଶ ରାଜ ରାଜନୀତିରେ ମଧ୍ୟ ସକ୍ରିୟ ଅଛନ୍ତି । ରାଜନୈତିକ ପ୍ରସଙ୍ଗରେ ସେ କଟୁ ମନ୍ତବ୍ୟ ଦିଅନ୍ତି । ସେ ସବୁବେଳେ ଖବର ଉପରେ ନଜର ରଖିଥାଆନ୍ତି ଏବଂ ନିଜର ପ୍ରତିକ୍ରିୟା ଦେବାରେ ପଛଘୁଞ୍ଚା ଦିଅନ୍ତି ନାହିଁ । ଏହିପରି ସମ୍ପ୍ରତ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ ଏବଂ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଉପରେ ସେ ଟ୍ୱିଟ୍ କରିଛନ୍ତି ।
ତେବେ ଏହା ତାଙ୍କର ପ୍ରଥମ ମତ ନୁହେଁ । ବିବାଦ ଆରମ୍ଭ ସମୟରୁ ମଝିରେ ମଝିରେ ସେ ନିଜର ମତ ରଖିଥାଆନ୍ତି । ମାତ୍ର ବର୍ତ୍ତମାନ ସେ କଙ୍ଗନାକୁ ଟାର୍ଗେଟ କରି ଏକ ମିମ ସେୟାର କରିଛନ୍ତି । ପ୍ରକାଶ ଏହି ମିମରେ କଙ୍ଗନାଙ୍କୁ ରାଣୀ ଲକ୍ଷ୍ମୀବାଇ ବୋଲି ବର୍ଣ୍ଣନା କରି ଥଟ୍ଟା କରିଛନ୍ତି । ଯଦିଓ ସମସ୍ତ ଜାଣନ୍ତି ଯେ ଫିଲ୍ମ ମଣିକର୍ଣ୍ଣିକାରେ କଙ୍ଗନା ରାଣୀ ଲକ୍ଷ୍ମୀବାଇ ଭୂମିକାରେ ଅଭିନୟ କରିଥିଲେ ।
ଏହି ଚଳଚ୍ଚିତ୍ରକୁ ଧ୍ୟାନରେ ରଖି ପ୍ରକାଶ ରାଜ ସୋସିଆଲ ମି୍ଡ଼ିଆରେ ଟ୍ଵିଟ୍ କରି ଲେଖିଛନ୍ତି ଯେ କଙ୍ଗନା ଯଦି ଏକ ଚଳଚ୍ଚିତ୍ର କରି ନିଜକୁ ରାଣୀ ଲକ୍ଷ୍ମୀବାଇ ବୋଲି ଭାବିବା ଆରମ୍ଭ କରନ୍ତି, ତେବେ ତଦନୁସାରେ ଦୀପିକା ମଧ୍ୟ ପଦ୍ମାବତୀ, ହ୍ରିତିକ ରୋଶନ ଆକବର, ଶାହାରୁଖ ଖାନ ଅଶୋକ, ଅଜୟ ଦେବଗନ୍ ଭାଗତ ସିଂ, ଆମୀର ଖାନ ମଙ୍ଗଲ ପାଣ୍ଡେ ଏବଂ ବିବେକ ଓବରୋଏ ମୋଦି ଜୀ ହୋଇଯିବେ । ପ୍ରକାଶ ରାଜଙ୍କ ଏହି ପୋଷ୍ଟରେ ଅନେକ ୟୁଜର୍ସ ମତାମତ ଦେଉଛନ୍ତି ଓ ଖୁବ ମଜା ନେଉଛନ୍ତି । ଏହାବ୍ୟତୀତ କିଛି ୟୁଜର୍ସ ପ୍ରକାଶଙ୍କୁ ନିନ୍ଦା ବି କରୁଛନ୍ତି ।
ସୂଚନାଥାଉ ଯେ କଙ୍ଗନାଙ୍କ Y-ବର୍ଗର ସୁରକ୍ଷା ଉପରେ ପ୍ରକାଶ ରାଜ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ବିମାନ ବନ୍ଦରରେ ସୁରକ୍ଷା ମଧ୍ୟରେ ଚାଲୁଥିବା କଙ୍ଗନାଙ୍କ ଛବି ସହିତ ପାଦରେ ଚାଲି ଚାଲି ପ୍ରବାସୀ ଶ୍ରମିକ ଫଟୋ ଶେୟାର କରି ସେ ଲେଖିଥିଲେ ଯେ ଏହା ହେଉଛି ନ୍ୟୁ ଇଣ୍ଡିଆ । ତେବେ ଏବେ ପ୍ରକାଶ ରାଜ ଫିଲ୍ମ ‘କେଜିଏଫ୍ – ଅଧ୍ୟାୟ ୨’ର ସୁଟିଂରେ ବ୍ୟସ୍ତ ।