ଚାରିଆଡ଼େ ହୁହୁ ହେଇ କରୋନା ମାମଲା ବଢୁଥିବା ବେଳେ ଏମିତି କିଛି ନଜିର ବି ସାମ୍ନାକୁ ଆସୁଛି ଯାହାକୁ ସଲାମ ନକରି ରହି ହେବନି । ଆଜ୍ଞା ହଁ, ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଲଗାତାର ରେକର୍ଡ଼ ଭାଙ୍ଗୁଥିବା ବେଳେ, ହସ୍ପିଟାଲକୁ ଯାଇ ଚିକିତ୍ସା ପାଇଁ ଲୋକେ ହନ୍ତସନ୍ତ ହେଉଥିଲା ବେଳେ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯାହାକୁ ଦେଖିଲେ ଲାଗିବ, ମାନବିକତା ଏବେ ବି ବଞ୍ଚିଛି । ଏଭଳି ଏକ ଘଟଣା ଗୁଜରାଟରେ ଘଟିଛି । ଜଣେ ୪ ମାସର ଗର୍ଭବତୀ ନର୍ସ କ୍ରମାଗତ ଭାବେ କରୋନା ରୋଗୀଙ୍କ ସେବା କରୁଛନ୍ତି । ଏହାସହିତ ସେ ଦିନ ସାରା ଉପବାସ ରହି ପାଳୁଛନ୍ତି ରୋଜା ।
କାନକୁ ବିଶ୍ଵାସ ନହେଉଥିଲେ ବି ଘଟଣାଟି ସତ । ଗଣମାଧ୍ୟମ ANI ରିପୋର୍ଟ ଅନୁସାରେ ସୁରତର ଗୋଟିଏ କୋଭିଡ୍ କେୟାର ହସ୍ପିଟାଲ୍ରେ ନର୍ସ ଭାବେ କାମ କରୁଛନ୍ତି ନାନସୀ ଆୟେଜା ମିସ୍ତ୍ରୀ । ବର୍ତ୍ତମାନ ସେ ୪ ମାସ ଗର୍ଭବତୀ । ତଥାପି କୋଭିଡ୍ କେୟାର ସେଣ୍ଟରରେ ଲଗାତାର ଡ୍ୟୁଟି କରିଚାଲିଛନ୍ତି ସେ ।
ମିଳିଥିବା ଖବର ଅନୁସାରେ ଗର୍ଭବତୀ ଥିବା ନାନସୀ ରୋଜା କରୁଥିବା ହେତୁ ଦିନ ସାରା ଉପବାସ କରୁଛନ୍ତି । ଖାଦ୍ୟ ତ ଖାଦ୍ୟ, ପାଣି ବି ପିଉନାହାନ୍ତି । ତଥାପି ଦୈନିକ ୮ରୁ ୧୦ ଘଣ୍ଟା ସେ ସୁରତରେ ଥିବା ଅଟଳ କୋଭିଡ-୧୯ ସେଣ୍ଟର୍ରେ ଡ୍ୟୁଟି କରୁଛନ୍ତି।
ଗଣମାଧ୍ୟମକୁ ସେ ବୟାନ ଦେଇ କହିଛନ୍ତି ଯେ “ମୁଁ ଜଣେ ନର୍ସ ଭାବରେ ମୋର କର୍ତ୍ତବ୍ୟ କରିଚାଲିଛି । ମୁଁ ଜାଣିଛି ମୋ ପେଟରେ ଗୋଟିଏ ଛୁଆ ଅଛି । ତା’ ପ୍ରତି ବି ସଂକ୍ରମଣର ଭୟ ରହିଛି । ହେଲେ ମୋ ପାଇଁ ଡ୍ୟୁଟି ଗୁରୁତ୍ୱପୂର୍ଣ୍ଣ । ଏହା ଭଗବାନଙ୍କ ଆର୍ଶୀବାଦ, ତେଣୁ ମୁଁ ପବିତ୍ର ରମଜାନ ମାସରେ ଲୋକଙ୍କ ସେବା କରିବାର ସୁଯୋଗ ପାଇଛି । ମୋ ପାଇଁ ଲୋକଙ୍କ ସେବା ହିଁ ସବୁଠାରୁ ବଡ଼ ଇବାଦତ ।”