କଲେଜ ହେବ କଣ୍ଟେନମେଣ୍ଟ୍‌ ଜୋନ୍ ! ଏକ ଘରୋଇ କଲେଜରୁ ଚିହ୍ନଟ ହେଲେ ୧୨ ଜଣ କରୋନା ପଜିଟିଭ୍‌

ସିଲଭର୍ ସିଟି ବୋଲାଉଥିବା କଟକ ସହରରେ ପୁଣିଥରେ କରୋନା ଆତଙ୍କ ଦେଖିବାକୁ ମିଳିଛି । ଏକ ଘରୋଇ କଲେଜରୁ ଚିହ୍ନଟ ହୋଇଛନ୍ତି ୧୨ ଜଣ କରୋନା ପଜିଟିଭ୍ । ସମସ୍ତ ସଂକ୍ରମିତ ହଷ୍ଟେଲରେ ରହୁଥିବା ଜଣାପଡ଼ିଛି । ଏତେ ସଂଖ୍ୟାରେ ପଜିଟିଭ୍‌ ମାମଲା ସାମ୍ନାକୁ ଆସିବା ଦେଖି ରାତିଅଧିଆ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଯାଇଛି । ସେପଟେ କିପରି ଏହି ସଂକ୍ରମଣ ବିସ୍ତାର ନକରେ କଲେଜ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ଉକ୍ତ ଘରୋଇ କଲେଜରେ ଜଣେ ମାତ୍ର କରୋନା ଭାଇରସର ଶିକାର ହୋଇଥିଲା । ବର୍ତ୍ତମାନ ସେ ଚିକିତ୍ସାଧୀନ । ତେବେ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରି ମୋଟ ୨୫ ଜଣଙ୍କୁ ଟେଷ୍ଟ କରାଯାଇଥିଲା ଏବଂ ଗତକାଲି ମିଳିଥିବା ରିପୋର୍ଟ ଅନୁସାରେ ସେମାନଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ୍‌ ଥିବା ଜଣାପଡ଼ିଛି ।

ଅନ୍ୟପକ୍ଷରେ ସହର ପ୍ରମୁଖ ଅଞ୍ଚଳରେ ଥିବା ଏହି ଘରୋଇ କଲେଜ ନିକଟରେ ରହିଛି ଏକାଧିକ ଟ୍ୟୁଟରିଆଲ୍‌ ଏବଂ ଅନ୍ୟାନ୍ୟ ଶିକ୍ଷାଅନୁଷ୍ଠାନ । ତେଣୁ ସଂକ୍ରମଣ ବ୍ୟାପିବା ନେଇ ଆଶଙ୍କା ଦେଖା ଦେଇଛି ଏବଂ ବୁଧବାର ଦିନ ଏକା ସଙ୍ଗେ ଏତେ ସଂଖ୍ୟାରେ ପଜିଟିଭ୍‌ ମାମଲା ସାମ୍ନାକୁ ଆସିଥିବାରୁ ରାତି ଅଧିଆ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ କରି ଦିଆଯାଇଛି । ଏହାସହିତ ସିଏମ୍‌ସି କଣ୍ଟ୍ରୋଲ୍‌ ରୁମ୍‌ର କର୍ମଚାରୀମାନେ କଲେଜ ହଷ୍ଟେଲକୁ ଯାଇ ସର୍ଭେ ଆରମ୍ଭ କରିଛନ୍ତି ଏବଂ ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ-ଶିକ୍ଷୟିତ୍ରୀ ମାନଙ୍କୁ ହୋମ୍‌ ଆଇସୋଲେସନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଆଜି ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରିବାକୁ ବ୍ୟବସ୍ଥା କରାଯାଉଥିବା ବେଳେ କଣ୍ଟାକ୍ଟ ଟ୍ରେସିଂ ପରେ ଆହୁରି ଅନେକଙ୍କ ଟେଷ୍ଟିଂ କରାଯିବ ବୋଲି ସିଏମ୍‌ସି ସ୍ୱାସ୍ଥ୍ୟ ଅଧିକାରୀ ଡା. ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି । ଏମିତିକି ଯଦି ଆକ୍ରାନ୍ତଙ୍କ ସଂଖ୍ୟା ବଢେ ତେବେ ଉକ୍ତ କଲେଜକୁ କଣ୍ଟେନମେଣ୍ଟ୍‌ ଜୋନ୍ ଘୋଷଣା କରାଯିବ ବୋଲି କୁହାଯାଇଛି ।

Leave a Reply

Your email address will not be published. Required fields are marked *