ଏସିଡ଼ ମାଡ଼ର ଶିକାର ପ୍ରମୋଦିନୀଙ୍କ ହାତ ଧରିଲେ ସରୋଜ : ସମାଜ ପାଇଁ ସାଜିଲେ ବଡ଼ ଦୃଷ୍ଟାନ୍ତ

ଓଡ଼ିଶାର ଛପାକ୍ ଗାର୍ଲ (ଏସିଡ଼ ମାଡ଼ ଶିକାର) ପ୍ରମୋଦିନୀ ରାଉଳ ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ । ୨୦୦୯ରେ ଯୁକ୍ତ ଦୁଇ ପଢୁଥିବା ସମୟରେ ଏସିଡ଼ ମାଡ଼ର ଶିକାର ହୋଇଥିଲେ ପ୍ରମୋଦିନୀ । ୨୦୧୪ ପର୍ଯ୍ୟନ୍ତ କଟକ ବଡ଼ ମେଡିକାଲରେ କୋମାରେ ରହିବା ପରେ କ୍ରମେ ସୁସ୍ଥ ହୋଇଥିଲେ ସେ । ତାଙ୍କର ଏ ସଂଘର୍ଷମୟ ଜୀବନରେ ପ୍ରତିଟି ମୂହୁର୍ତ୍ତରେ ସାଥୀ ହୋଇ ଠିଆ ହୋଇଥିବା ସରୋଜ ଶେଷରେ ଆଜି ତାଙ୍କ ହାତ ଧରି ଜୀବନସାଥୀ କରିଛନ୍ତି । ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

ସୂଚନାଥାଉ ଯେ କନକପୁର ସ୍ଵର୍ଗତ ଅନନ୍ତ ରାଉଳ ଏବଂ କବିତା ରାଉଳଙ୍କ ମଝିଆଁ ଝିଅ ପ୍ରମୋଦିନୀ, ଏକତରଫା ପ୍ରେମର ଶିକାର ହୋଇ ଏସିଡ ମାଡ଼ ଭଳି ଦୁର୍ଭାଗ୍ୟକୁ ଭୋଗିଥିଲେ । ଅଭିଯୁକ୍ତ ଭଦ୍ରକ ଜିଲ୍ଲାର ସନ୍ତୋଷ କୁମାର ବେଦାନ୍ତ ପ୍ରମୋଦିନୀଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବାରୁ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ଉପରକୁ ଏସିଡ ଫୋପାଡ଼ି ଥିଲେ । ଫଳରେ ଗୁରୁତର ଅବସ୍ଥାରେ ୫ ବର୍ଷ ଯାଏଁ ସେ କୋମାରେ ରହିଲେ ।

ତେବେ ୨୦୧୪ ରେ ପ୍ରମୋଦିନୀଙ୍କର ସରୋଜଙ୍କ ସହିତ ସାକ୍ଷାତ ହୁଏ ଏବଂ ବନ୍ଧୁତା ଓ ପରେ ତାହା ପ୍ରେମରେ ପରିଣତ ହୁଏ । ଏସିଡ ମାଡ଼ରେ ନିଜର ସର୍ବସ୍ଵ ହରାଇଥିବା ଜଣେ ଯୁବତୀଙ୍କୁ ବିବାହ କରିବା ପାଇଁ ସରୋଜ ପ୍ରସ୍ତାବ ଦେବା କେବଳ ପ୍ରମୋଦିନୀଙ୍କୁ ଆପଣେଇବା ନୁହେଁ ଅପିତୁ ସମାଜ ପାଇଁ ଏକ ବଡ଼ ଦୃଷ୍ଟାନ୍ତ ସୃଷ୍ଟି କରିବା ବି । ସେମାନେ ବି ସାଧାରଣ ଏବଂ ତାଙ୍କର ମଧ୍ୟ ସ୍ଵପ୍ନ ପୂରଣ ହେବା ଉଚିତ କ୍ରମରେ ସରୋଜ ଆଜି ବୈଦିକ ରୀତିନୀତି ଅନୁସାରେ ତାଙ୍କୁ ବିବାହ କରିଛନ୍ତି ।

ଅନ୍ୟପକ୍ଷରେ ଦୁହେଁ ବିବାହ କରି ସମାଜକୁ କହିବାକୁ ଚାହୁଁଛନ୍ତି ଯେ ଏସିଡ ମାଡ଼ରେ ଶିକାର ହୋଇଥିବା ଯୁବତୀମାନେ କେବେ ନିଜର ସାହସ ଏବଂ ଧୈର୍ଯ୍ୟ ହରାଇବା ଅନୁଚିତ । ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ସେମାନଙ୍କର ବି ଯଥେଷ୍ଟ ଅଧିକାର ରହିଛି । ପରିବାରରେ ଆଜି ସମସ୍ତେ ଖୁସି ବୋଲି କହିଛନ୍ତି ପ୍ରମୋଦିନୀଙ୍କ ମାଆ ଏବଂ ପିଇସା । ପ୍ରମୋଦିନୀଙ୍କ ବିବାହ ପାଇଁ  ଆଜି କନକପୁର ଚଳଚଞ୍ଚଳ ହୋଇ ପଡ଼ିଥିବାବେଳେ ସରୋଜ ଭଳି ଜଣେ ଉଦାରବାଦୀ ଯୁବକ ପ୍ରମୋଦୀନୀଙ୍କ ହାତ ଧରି ସମାଜ ପାଇଁ ପାଲଟିଛନ୍ତି ଏକ ବଡ଼ ଦୃଷ୍ଟାନ୍ତ ।

Leave a Reply

Your email address will not be published. Required fields are marked *