କରୋନା ମହାମାରୀର ମହାସଙ୍କଟ ଯୋଗୁ ଅନେକ ବ୍ୟବସ୍ଥା ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅର୍ଥନୀତି, କର୍ମ ସଂସ୍ଥାନ, ଦୈନନ୍ଦିନ ଜୀବନ ସହିତ ଶିକ୍ଷା ବ୍ୟବସ୍ଥା ମଧ୍ୟ ବ୍ୟାପକ ଭାବରେ କ୍ଷତିଗ୍ରସ୍ତ ହୋଇଛି । ଲକଡାଉନ କଟକଣା ଭିତରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶବ୍ୟାପି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ତେଣୁ ବିଭିନ୍ନ ରାଜ୍ୟରେ ଅନଲାଇନ ପାଠପଢାକୁ ଗୁରୁତ୍ୱ ଦିଆଯାଇଛି । ମାତ୍ର କଉଠି ନେଟୱାର୍କ୍ ସମସ୍ୟା ତ କେଉଁଠି ଶିକ୍ଷକଙ୍କ ମନିଟରିଂର ଅଭାବ । ଏମିତିକି କିଛି ପିଲାଙ୍କ ପାଖରେ ଫୋନର ବ୍ୟବସ୍ଥା ମଧ୍ୟ ନାହିଁ ।
ପାଠ ପଢିବାକୁ ଇଚ୍ଛା ଥିଲେ ବି ପିଲାମାନେ ଅନଲାଇନରେ ପାଠ ପଢିବାରେ ନାନା ବାଧାବିଘ୍ନର ସମ୍ମୁଖୀନ ହେଉଛନ୍ତି । ସବୁ ଛାତ୍ରଛାତ୍ରୀ ଯେ ଗୋଟାଏ ଲେଖାଏଁ ସ୍ମାର୍ଟଫୋନ ଧରି ପାରିବେ ସେ ସୁବିଧା ସୁଯୋଗ ସମସ୍ତଙ୍କ ପାଖରେ ନାହିଁ । କରୋନା କଟକଣା ପାଇଁ ତ ପରିବାର ଚଳିବା ମୁସ୍କିଲ ହୋଇପଡୁଛି, ଏ ସମୟରେ ପିଲା ପାଠାପଢା ପାଇଁ ସ୍ମାର୍ଟ ଫୋନଟିଏ କିଣିବା ଅଭିଭାବକଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ପରି ।
କିନ୍ତୁ ଏ ସମୟରେ ବି ପଞ୍ଜାବ ସରକାରଙ୍କ ବଡ଼ ଘୋଷଣା । ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଆଖି ଆଗରେ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଘୋଷଣା କରିଛନ୍ତି ଯେ ସମସ୍ତ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟଫୋନ ଦିଆଯିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ କେବଳ ଛାତ୍ରୀଙ୍କୁ ସ୍ମାର୍ଟ ଫୋନ ବାଣ୍ଟିବାକୁ ନିଷ୍ପତି ନିଆଯାଇଛି ।