ଆସୁଛି ବର୍ଷା ; ସତର୍କ କରାଇଲେ ଏସଆରସି, ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ହେବ ପ୍ରବଳ ବର୍ଷା

ସଂସ୍କାର : ରାଜ୍ୟରେ ବର୍ତ୍ତମାନ ଶୀତ ଲହରି ପ୍ରଖର ରହିଛି। କାଠୁଆ ଶୀତ ସହିତ କାକାରର ମାତ୍ରା ମଧ୍ୟ ବୃଦ୍ଧି ପାଇଛି। ଦିନ ୧୦ ଟା ନ ହେଲେ ଘରୁ ବାହାରି ହେଉନି। ତେବେ ଏହାରି ମଧ୍ୟରେ ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷାର ମାହୋଲ ରହିବ ବୋଲି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଏସଆରସି।

ପୁଣି ରାଜ୍ୟକୁ ଆସୁଛି ବର୍ଷା । ପଶ୍ଚିମାଝଡ଼ ପ୍ରଭାବରେ ଆଜିଠାରୁ ରାଜ୍ୟର କେତେକାଂଶରେ ପାଗରେ ପରିବର୍ତ୍ତନ ଦେଖାଦେଇଛି। ଫଳରେ ବିଜୁଳି ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଏସଆରସି ସତର୍କ କରାଇଛନ୍ତି। ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ବର୍ଷା ବଢ଼ିବ ବୋଲି ସେ କହିଛନ୍ତି।

ଅନ୍ୟପଟେ ୧୪ ତାରିଖ ପର୍ଯ୍ୟନ୍ତ ବିଜୁଳି ଘଡ଼ଘଡ଼ି, କୁଆପଥର ମାଡ଼ ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ କୁଆପଥର ଓ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଚାଷୀଙ୍କୁ ସତର୍କ କରିଦିଆଯାଇଛି। ବର୍ଷା ପୂର୍ବରୁ ଅମଳ ସାଇତିବା ସହ ରବି ଫସଲ ବୁଣାବୁଣି ନ କରିବାକୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଞ୍ଚଳରେ ବିଜୁଳି ସହ ବର୍ଷା ହୋଇପାରେ । ସୋମବାର ଦିନ ସମ୍ବଲପୁର, ଝାରସୁଗୁଡ଼ା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ଼, ଦେବଗଡ଼, ବରଗଡ଼ ଓ ନୂଆପଡ଼ା ଜିଲ୍ଲାର କିଛି ସ୍ଥାନରେ ବର୍ଷା ହେବ । ଏନେଇ ୭ଟି ଜିଲ୍ଲାକୁ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ସେହିପରି ଆସନ୍ତା ୧୨ ତାରିଖରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଅନୁଗୋଳ, କଟକ ଓ ନୟାଗଡ଼ର ଜିଲ୍ଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ । କୁଆପଥର ଓ ପ୍ରବଳ ବର୍ଷା ଦ୍ୱାରା କୃଷି ଓ ଫସଲ ନଷ୍ଟ ହେବାର ଆଶଙ୍କା ଥିବାରୁ ସେଥିପ୍ରତି ସତର୍କତା ଅବଲମ୍ବନ ନିମନ୍ତେ ବିଭାଗ ପକ୍ଷରୁ କୁହାଯାଇଛି। ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ସତର୍କ ରହିବାକୁ ଏସଆରସି ସମସ୍ତ ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *