ସଂସ୍କାର : ଜଣେ ୧୫ ବର୍ଷୀୟ ନାବାଳିକାକୁ ହୋଇଛି ଗଣଦୁଷ୍କର୍ମ। ଆଉ ଦୁଷ୍କର୍ମ କରିବା ସମୟର ଭିଡ଼ିଓ ଉତ୍ତୋଳନ କରି ଦୁଷ୍କର୍ମକାରୀମାନେ ନାବାଳିକାଙ୍କୁ କରୁଥିଲେ ବ୍ଲାକମେଲ୍। ଏହି ଘଟଣା ବାବଦରେ କାହାକୁ କହିଲେ ଭିଡ଼ିଓ ଭାଇରାଲ୍ କରିଦେବେ ବୋଲି ନାବାଳିକାଙ୍କୁ ଦେଇଥିଲେ ଧମକ। କିନ୍ତୁ ସାହସ ଜୁଟାଇ ନାବାଳିକା ଜଣଙ୍କ ପରିବାର ସଦସ୍ୟଙ୍କୁ କହିବା ପରେ ଦୁଷ୍କର୍ମକାରୀଙ୍କୁ ଗିରଫ କରିଥିଲା ପୋଲିସ୍।
ଏପରି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅଞ୍ଚଳରେ । ଏହି ଅଞ୍ଚଳରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ ଜଣଙ୍କୁ ଗିରଫ କରିଛି ସ୍ଥାନୀୟ ବହଳଦା ଥାନା ପୋଲିସ୍। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ମଧ୍ୟ ରହିଛନ୍ତି , ଯେଉଁମାନଙ୍କର ବୟସ କି ୧୫ ରୁ ୧୬ ବର୍ଷ ହେବ। ତେବେ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ସୂଚନାଯୋଗ୍ୟ ଯେ, ବହଳଦା ଥାନା ଅଞ୍ଚଳରେ ଏହି ନାବାଳିକା ଜଣଙ୍କ ଏକ ଇଟାଭାଟିରେ କାମ କରୁଥିଲେ।ଗତ ବୁଧବାର ମଧ୍ୟ ନାବାଳିକା ଜଣଙ୍କ ଇଟାଭାଟିକୁ କାମ କରିବାକୁ ଯାଇଥିଲେ। ତେବେ ଝିଅଟି ଏକାକୀ ଥିବାରୁ ସୁବିଧା ପାଇ ଏହି ଚାରି ଜଣ ଅଭିଯୁକ୍ତ ତାଙ୍କ ସହ ଗଣ ଦୁଷ୍କର୍ମ କରିଥିଲେ। ଏପରିକି ଦୁଷ୍କର୍ମ ସମୟର ଭିଡିଓ ଉତ୍ତୋଳନ କରିଥିଲେ। ଏହି ବିଷୟରେ କାହାକୁ କହିଲେ ଭିଡ଼ିଓ ଭାଇରାଲ୍ କରିଦେବୁ କହି ନାବାଳିକାଙ୍କୁ ଧମକ ମଧ୍ୟ ଦେଇଥିଲେ।
ତେବେ ଝିଅଟି ଏହି ଘଟଣା ବିଷୟରେ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଏନେଇ ବହଳଦା ଥାନାରେ ଏତଲା ଦେଇଥିଲେ। ଆଉ ଏତଲା ପାଇବା ପରେ ବହଳଦା ଥାନା ପୋଲିସ୍ ୪ ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଅଧିକ ତଦନ୍ତ କରୁଛି।