ସଂସ୍କାର : ଉତ୍ତରପ୍ରଦେଶର ଶେର୍ଗଡ଼ ଓ ରାଜପଥ ଥାନାର ଗୋଦାମ ଘରେ ଜବତ ହୋଇ ଗଚ୍ଛିତ ରଖାଯାଇଥିବା ୫୦୦ କିଲୋରୁ ଅଧିକ ପରିମାଣର ଗଞ୍ଜେଇକୁ ମୂଷାମାନେ ଖାଇ ଦେଇଥିବା କଥା ‘ନାକ୍ରୋଟିକ୍ ଡ୍ରଗ୍ସ୍ ଆଣ୍ଡ୍ ସାଇକ୍ରୋଟ୍ରପିକ୍ ସବ୍ଷ୍ଟାନ୍ସ୍’ର ସ୍ବତନ୍ତ୍ର ଅଦାଲତରେ ଦାଖଲ କରିଥିବା ଉତ୍ତରରେ ମଥୁରା ପୁଲିସ ଉଲ୍ଲେଖ କରିଛି।
ଏନ୍ଡିପିଏସ୍ ଆକ୍ଟ୍’ରେ ରୁଜୁ ହୋଇଥିବା ମାମଲାରେ ଉଦ୍ଧାର କରାଯାଇଥିବା ଗଞ୍ଜେଇ ଦାଖଲ କରିବା ଲାଗି ଚଳିତ ବର୍ଷ ପ୍ରାରମ୍ଭରେ ଅଦାଲତ ଆଦେଶ ଦେବା ପରେ ମଥୁରା ପୁଲିସ ଏଭଳି ବିଚିତ୍ର କଥା କହିଛି।ଏ କଥା ଶୁଣି ଅତିରିକ୍ତ ଜିଲ୍ଲା ଜଜ୍ ମଥୁରାର ‘ଏସ୍ଏସ୍ପି’ ଅଭିଷେକ ଯାଦବଙ୍କୁ ପ୍ରଥମେ ମୂଷା ଉତ୍ପାତ ଦମନ କରିବାକୁ କହିବା ସହିତ ୬୦ ଲକ୍ଷ ଟଙ୍କାର ୫୮୧ କିଲୋ ଗଞ୍ଜେଇକୁ ପ୍ରକୃତରେ ମୂଷା ଖାଇଥିବାର ପ୍ରମାଣ ଦେବାକୁ ଆଦେଶ ଦେଇଛନ୍ତି।
ଜବତ ହୋଇଥିବା ଗଞ୍ଜେଇ ବିଷୟରେ ସ୍ପଷ୍ଟୀକରଣ ଦେଇ ମଥୁରା ପୁଲିସ ଅଦାଲତଙ୍କୁ କହିଥିଲା ଯେ, ଆକାରରେ ସାନ ହୋଇଥିଲେ ବି, ପୁଲିସ ପ୍ରତି ମୂଷାମାନଙ୍କର ଭୟ ନାହିଁ। ସବୁ ସମସ୍ୟାର ସମାଧାନ ନିମନ୍ତେ ‘ଏସ୍ଏଚ୍ଓ’ ମାନେ ବିଶେଷଜ୍ଞ ହୋଇପାରିବେ ନାହିଁ।
ସୂଚନାଯୋଗ୍ୟ, ୨୦୨୦ ମେ ମାସରେ ୩ଜଣ ବ୍ୟକ୍ତି ଏକ ଟ୍ରକ୍ରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ମଥୁରାରେ ଗିରଫ ହୋଇଥିଲେ। ଟ୍ରକ୍ରେ ଥିବା ମାଣ୍ଡିଆ ବସ୍ତାରୁ ପୁଲିସ ୩୮୬ କିଲୋ ଗଞ୍ଜେଇ ଉଦ୍ଧାର କରାଯାଇଥିଲା। ୩ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା।ସେହିପରି, ରାଜପଥ ଥାନା ମଧ୍ୟ ୧୯୫ କିଲୋ ଗଞ୍ଜେଇ ଜବତ କରିଥିଲା।
ଉପରୋକ୍ତ ମାମଲାର ବିଚାର ବେଳେ ଜବତ ହୋଇଥିବା ଗଞ୍ଜେଇ ଦାଖଲ କରିବା ଲାଗି ଅଦାଲତ ପୁଲିସକୁ ଆଦେଶ ଦେଇଥିଲେ। ପୁଲିସ କହିଥିଲା ଯେ, ବନ୍ଦ୍ ପ୍ୟାକେଟ୍ରେ ଗଞ୍ଜେଇକୁ ଗୋଦାମ ଘରେ ରଖାଯାଇଥିବାବେଳେ ମୂଷା ଖାଇ ଦେଇଛନ୍ତି। ଜବତ ଗଞ୍ଜେଇ ମୂଷା ଦାଉରୁ ରକ୍ଷା କରିବା ପାଇଁ ଥାନାରେ ନିରାପଦ ସ୍ଥାନ ନାହିଁ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨୬ ତାରିଖକୁ ଦିନ ଧାର୍ଯ୍ୟ କରାଯାଇଛି।