ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଜୁନ୍ 14 ରେ ମୁମ୍ବାଇସ୍ଥିତ ନିଜ ଘରେ ଫାଶୀ ଦେଇଥିଲେ। ସେ କାହିଁକି ଏପରି କଲେ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଘଟଣା ସସ୍ପେନ୍ସ ରେ । ତେବେ ମୁମ୍ବାଇ ପୋଲିସ ଏହି ଘଟଣାରେ ନିରନ୍ତର ଅନୁସନ୍ଧାନ କରୁଛି। ଏଥି ସହିତ ସୁଶାନ୍ତଙ୍କ ପରିବାର ପାଟନାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଏଫଆଇଆର ଦେବା ପରେ ବିହାରର ଏକ ଟିମ୍ ମଧ୍ୟ ମୁମ୍ବାଇରେ ଅନୁସନ୍ଧାନ କରୁଛି। ଏହି ସମୟ ମଧ୍ୟରେ ବିହାର ପୋଲିସ ଅନେକ ଥର କହିଛି ଯେ ରିୟାଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରି ନାହିଁ।
ଏଥି ସହିତ ବର୍ତ୍ତମାନ ରିୟାଙ୍କ ଓକିଲ ସତୀଶ ମନେଶିନ୍ଦ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ରିୟା ଚକ୍ରବର୍ତ୍ତୀ ସର୍ବଦା ମୁମ୍ବାଇରେ ଅଛନ୍ତି। ସେ 14 ଜୁନ୍ 2020 ରେ ମୁମ୍ବାଇରେ ଥିଲେ। ତାଙ୍କୁ ସୁଶାନ୍ତ ସିଂଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଦିଆଯାଇନଥିଲା କାରଣ ତାଙ୍କ ନାମ 20ଜଣ ତାଲିକାରୁ ବାଦ ପଡି ଥିଲା। ତାଙ୍କୁ 18 ଜୁନ୍ 2020 ରେ ମୁମ୍ବାଇ ପୋଲିସ ବାନ୍ଦ୍ରା ପୋଲିସ ଷ୍ଟେସନକୁ ଡକାଇଥିଲା। ସେଠାରେ ତାଙ୍କର ବିବୃତ୍ତି ରେକର୍ଡ କରାଯାଇଥିଲା। ଏହା ପରେ ତାଙ୍କୁ 17 ଜୁଲାଇ 2020 ରେ ସାଣ୍ଟା କ୍ରୁଜ ପୋଲିସ ଷ୍ଟେସନରେ ହାଜର ହେବାକୁ ଡକାଯାଇଥିଲା। ସେ ସେଠାରେ ତାଙ୍କର ବିବୃତ୍ତି ମଧ୍ୟ ରେକର୍ଡ କରିଥିଲେ।
ପରେ, ଯେତେବେଳେ ବିହାର ପୋଲିସ ପାଟନାରେ ଦିଆଯାଇଥିବା ଏଫଆଇଆର ଆଧାରରେ ମାମଲାର ତଦନ୍ତ ପାଇଁ ମୁମ୍ବାଇ ଆସିଥିଲା, ସେତେବେଳେ ରିୟା ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇ ଆଇନଗତ ସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇକୁ ମାମଲା ସ୍ଥାନାନ୍ତର କରିବାକୁ 30 ଜୁଲାଇ 2020 ରେ ଆବେଦନ କରିଥିଲେ। ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନେଶିନ୍ଦ କହିଛନ୍ତି ଯେ ବିହାର ପୋଲିସର ଆଇନଗତ ତଦନ୍ତ କରିବାର କୌଣସି ଅଧିକାର ନାହିଁ।