ପପ୍ ଷ୍ଟାର୍ ରିହାନ୍ନା ବିଶ୍ୱର ସବୁଠାରୁ ଧନୀ ମହିଳା , ଜାଣନ୍ତୁ କେତେ କୋଟିର ମାଲିକାଣୀ ସେ

ସଂସ୍କାର : ପୁଣି ଚର୍ଚ୍ଚାରେ ଆମେରିକୀୟ ପପ୍ ଷ୍ଟାର୍ ରିହାନ୍ନା। ବିଶ୍ୱ ପ୍ରସିଦ୍ଧ ପପ୍ ଗାୟକ ରିହାନ୍ନାଙ୍କ ପ୍ରଶଂସକଙ୍କ ପାଇଁ ଏହି ଖବର ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ସେ ବର୍ତ୍ତମାନ ହୋଇ ସାରିଛନ୍ତି ବିଶ୍ୱର ସବୁଠାରୁ ଧନୀ ମହିଳା ସଙ୍ଗୀତକାର। ଆମେରିକାର ପ୍ରତିଷ୍ଠିତ ମାଗାଜିନ୍ “ଫୋର୍ବସ୍” ଗତ ବୁଧବାର ଦିନ ଏହି ଘୋଷଣା କରିଛି।ରିହାନ୍ନାଙ୍କ ବର୍ତ୍ତମାନ ସମ୍ପତ୍ତିର ମୋଟ୍ ମୂଲ୍ୟ ହେଉଛି ୧.୭ ବିଲିୟନ ଡ଼ଲାର୍। ଭାରତୀୟ ମୁଦ୍ରାରେ ଏହା ହେବ ୧,୨୬,୨୭,୬୧,୭୦,୦୦୦ ଟଙ୍କା। କେବଳ ସଙ୍ଗୀତ ଗାନ କରି ରିହାନ୍ନା ଏତେ ବଡ଼ ସଫଳତା ପାଇଛନ୍ତି କହିଲେ ଭୁଲ ହୋଇଯିବ। କାରଣ ରିହାନ୍ନା ଅନେକ ଗୁଡିକ ବ୍ରାଣ୍ଡକୁ ମଧ୍ୟ ପ୍ରମୋଟ କରନ୍ତି । ଏହା ହେଉଛି ତାଙ୍କର ରୋଜଗାରର ଆଉ ଏକ ଉତ୍ସ।

ଫୋର୍ବସ୍ ମାଗାଜିନର ରିପୋର୍ଟ ଅନୁଯାୟୀ, ୩୨ ବର୍ଷୀୟ ରିହାନ୍ନାଙ୍କର ରହିଛି ଏକ ବ୍ୟୁଟି କମ୍ପାନୀ ସହିତ ଫେଣ୍ଟି ନାମକ ଏକ ଫ୍ୟାଶନ୍ ବ୍ରାଣ୍ଡ୍। ୨୦୧୯ ମସିହାରେ ରିହାନ୍ନା ଫୋର୍ବସ୍ ଲିଷ୍ଟରେ ସବୁଠାରୁ ଧନୀ ମ୍ୟୁଜିସିୟନ୍ ଥିଲେ। ଫୋର୍ବସ୍ ଅନୁଯାୟୀ, ୨୦୧୯ ମସିହାରେ ରିହାନ୍ନାଙ୍କ ମୋଟ ସମ୍ପତ୍ତି ୬୦୦ ମିଲିୟନ୍ ଡଲାର୍ ବା ୪୪୦୦ କୋଟି ଥିଲା। ଏହା ବ୍ୟତୀତ ରିହାନ୍ନା ବର୍ତ୍ତମାନ ପର୍ଯ୍ୟନ୍ତ ଏକକ କଳାକାର ଭାବରେ ଲଣ୍ଡନର ‘୦୨ ଆରେନା’ରେ ୧୦ ଟି ମ୍ୟୁଜିକ୍ ସୋ’ କରିଛନ୍ତି, ଯାହା ଏକ ବଡ଼ ସଫଳତା ।

ତେବେ କଣ ଆପଣ ଜାଣିଛନ୍ତି କି ରିହାନ୍ନାଙ୍କ ସମ୍ପୂର୍ଣ୍ଣ ନାମ ହେଉଛି ରବିନ୍ ରିହାନ୍ନା ଫେଣ୍ଟି | ସେ ୨୦ ଫେବୃଆରୀ ୧୯୮୮ ମସିହାରେ ବାରବାଡୋସରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନରୁ ହିଁ ରିହାନ୍ନା ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସୂଚନା ଅନୁଯାୟୀ, ତାଙ୍କ ପିତା ଜଣେ ମଦ୍ୟପ ଥିଲେ ଏବଂ ତାଙ୍କ ମା’ଙ୍କୁ ଶୋଷଣ କରୁଥିଲେ। ଅନ୍ୟପଟେ ସେ ପିଲାଦିନେ ଘରକୁ ଆର୍ଥିକ ସାହାଯ୍ୟ କରିବା ପାଇଁ ବାପାଙ୍କ ସହିତ ରାସ୍ତା କଡ଼ରେ ପୋଷାକ ବିକ୍ରି କରୁଥିଲେ | ତେବେ ୨୦୧୨ ମସିହାରେ, ରିହାନା ବ୍ୟାଟ୍ସଲସିପ୍ ଫିଲ୍ମ ମାଧ୍ୟମରେ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ।

ରିହାନ୍ନା ୧୬ ବର୍ଷ ବୟସରେ ଗୀତ ଗାଇବା ଆରମ୍ଭ କରିଥିଲେ। ୨୦୦୫ ମସିହାରେ ରିହାନ୍ନା ତାଙ୍କର ଡେବ୍ୟୁ ଷ୍ଟୁଡିଓ ଆଲବମ୍, “ମ୍ୟୁଜିକ୍ ଅଫ୍ ଦି ସନ୍” ମୁକ୍ତିଲାଭ କରିଥିଲେ। ଯାହା ବିଲବୋର୍ଡ 200 ଚାର୍ଟର ଶ୍ରେଷ୍ଠ ଦଶରେ ପହଞ୍ଚିଥିଲା। ତେବେ ଏକ ବର୍ଷରୁ କମ୍ ସମୟ ମଧ୍ୟରେ ସେ ତାଙ୍କର ଦ୍ୱିତୀୟ ଷ୍ଟୁଡିଓ ଆଲବମ୍, “ଏ ଗର୍ଲ ଲାଇକ୍ ମୀ” ରିଲିଜ କରିଥିଲେ। ସେ ଏହି ଗୀତ ୨୦୦୬ ମସିହାରେ ରିଲିଜ୍ କରିଥିଲେ | ଯାହା ବିଲବୋର୍ଡର ଆଲବମ୍ ଚାର୍ଟର ଶ୍ରେଷ୍ଠ ପାଞ୍ଚରେ ପହଞ୍ଚିଥିଲା।

ସୋସିଆଲ ମିଡିଆରେ ମଧ୍ୟ ରିହାନ୍ନା ବହୁତ ସକ୍ରିୟ | ସେ ଦୁନିଆର ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ, ଯାହାର ସୋସିଆଲ ମିଡିଆରେ ଅଧିକ ଅନୁସରଣକାରୀ ଅଛନ୍ତି | ଟ୍ୱିଟରରେ ରିହାନ୍ନାଙ୍କର ୧୦୦ ମିଲିୟନ୍ (୧୦ କୋଟି) ଅନୁସରଣକାରୀ ଅଛନ୍ତି।

Leave a Reply

Your email address will not be published. Required fields are marked *