ସଂସ୍କାର : ଭାରତୀୟ ବଂଶୋଦ୍ଭବ ବ୍ରିଟିଶ ରାଜନେତା ଋଷୀ ସୁନକ ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି । ବ୍ରିଟେନର ପ୍ରଧାନମନ୍ତ୍ରୀ କିଏ ହେବ ସେହି ତାଲିକାରେ ସେଆଗକୁ ପାଦ ବଢାଉଥିବା ନେଇ ଚର୍ଚ୍ଚାରେ ରହିଛନ୍ତି । ଋଷି ସୁନକଙ୍କ ସହିତ ଏହି ଦୌଡ଼ରେ ଆହୁରି ୫ ଜଣ ମଧ୍ୟ ରହିଛନ୍ତି । ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ସୁନକଙ୍କୁ ସବୁଠାରୁ ମଜଭୁତ ପ୍ରାର୍ଥୀ ବୋଲି କୁହାଯାଉଛି ।
ବ୍ରିଟେନର ଅର୍ଥମନ୍ତ୍ରୀ ଥିବାବେଳେ ସୁନକ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥିଲେ । ଯଦି ସେ ବ୍ରିଟେନର ପ୍ର୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏକପ୍ରକାର ଇତିହାସ ସୃଷ୍ଟି ହେବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେବେ ଋଷିଙ୍କ ପତ୍ନୀ ମଧ୍ୟ ଜଣେ ଭାରତୀୟ ଅଟନ୍ତି । ତାଙ୍କ ପତ୍ନୀ ଦେଶର ଦିଗଜ ଆଇଟି କମ୍ପାନୀ ଇନଫୋସିସର ଫାଉଣ୍ଡର ଏନ.ଆର ନାରାୟଣମୂର୍ତ୍ତିଙ୍କ ଝିଅ ଅଟନ୍ତି ।
ମାର୍ଚ୍ଚ ୨୦୨୨ରେ କରାଯାଇଥିବା ସଣ୍ଡେ ରିଚ ଲିଷ୍ଟରେ ଋଷି ଓ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କ ନାମ ମଧ୍ୟ ସ୍ଥାନିତ ହୋଇଥିଲା । ଏହି ଦମ୍ପତ୍ତିଙ୍କର ସମ୍ପତ୍ତି ବ୍ରିଟେନର ମହାରାଣୀଙ୍କ ସମ୍ପତ୍ତିଠାରୁ ଅଧିକ ରହିଥିବା ଜଣାପଡ଼ିଛି । ଏହି ଦମ୍ପତି ୭୩କୋଟି ପାଉଣ୍ଡର ସମ୍ପତ୍ତି ସହିତ ତାଲିକାର ୨୨୨ ନମ୍ବର ସ୍ଥାନରେ ରହିଥିଲେ । ଏହି ତାଲିକାର ଶୀର୍ଷରେ ଭାରତୀୟ ବଂଶୋଦ୍ଭବ ହିନ୍ଦୁଜା ବନ୍ଧୁ ରହିଥିଲେ । ଯାହାଙ୍କର ସମ୍ପତି ୨୮.୨୭୨ ଆରବ ପାଉଣ୍ଡ ରହିଛି ।
ଦ ଟାଇମର ଏକ ରିପୋର୍ଟ ଅନୁଯାୟୀ ଏହି ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପତି ପାଖାପାଖି ୪୩୦ ମିଲିୟନ ପାଉଣ୍ଡ ରହିଛି, ଯାହାକି ମହାରାଣୀଙ୍କ ସମ୍ପତିଠାରୁ ଅଧିକ । ମହାରାଣୀଙ୍କ ସମ୍ପତି ୩୫୦ ମିଲିୟନ ପାଉଣ୍ଡ ରହିଛି । ଋଷି ସୁନକ ନେତା ପୂର୍ବରୁ ଇନଭେଷ୍ଟମେଣ୍ଟ ବ୍ୟାଙ୍କର, ଗୋଲ୍ଡମ୍ୟାନ ସେକ୍ସର ବିଶ୍ଲେଷକ ଓ ପରେ ୨ଟି ହେଜ ଫଣ୍ଡ ମଧ୍ୟ ସାମିଲ ଥିଲେ । ଏହାବ୍ୟତୀତ ସାଂସଦ ଓ ଚାନସେଲର ଭାବେ ତାଙ୍କର ଦରମା ୧,୫୧,୬୪୯ ପାଉଣ୍ଡ ରହିଛି ।
ଋଷି ସୁନକ ୧୨ ମଇ ୧୯୮୦ରେ ସାଉଥମେପଟନରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାମାତା ଭାରତର । ପିତା ଡାକ୍ତର ଥିଲେ । ସେ ୱିଂଚେଷ୍ଟର କଲେଜରୁ ରାଜନୀତି ବିଜ୍ଞାନ ପଢିଥିଲେ । ଏହାପରେ ସେ ଅକ୍ସଫୋର୍ଡ ୟୁନିର୍ଭସିଟିରୁ ଫେଲୋସିପି ଓ ଇକୋନୋମିକସରେ ଡିଗ୍ରୀ ହାସଲ କରିଥିଲେ ।