ସଂସ୍କାର : ବିଶ୍ୱର ସବୁଠାରୁ ଅକାଟ୍ୟ ସତ ହେଉଛି ଜନ୍ମ ଆଉ ମୃତ୍ୟୁ। ଜନ୍ମ ହେବାକୁ ଯେମିତି କେହି ରୋକି ପାରିବେ ନାହିଁ, ଠିକ୍ ସେହିଭଳି ମୃତ୍ୟୁକୁ ମଧ୍ୟ କେହି ରୋକ ଲଗାଇ ପାରିବ ନାହିଁ। ଆଉ ମୃତ୍ୟୁ କେତେବେଳେ ଆସିବ ତାହା କେହି କହି ପାରିବ ନାହିଁ।
ତେବେ ଜଣେ ଯୁବକଙ୍କର ବିଷୟରେ ଆମେ ଏଠାରେ ଉଲେଖ୍ୟ କରିଛୁ। କାରଣ ଯେଉଁ ଯୁବକଙ୍କ ବିଷୟରେ ଆମେ କହିବାକୁ ଯାଉଛୁ ସେ ନିକଟରେ ନିର୍ବନ୍ଧ କରିଥିଲେ ଆଉ ଆସନ୍ତା ଫେବୃଆରୀ ୨୩ ତାରିଖରେ ହୋଇଥାନ୍ତା ତାଙ୍କର ବିବାହ। କିନ୍ତୁ ଭଗବାନ ଚାହୁଁଥିଲେ କିଛି ଅଲଗା।ଆଉ ଯୁବାବସ୍ଥାରେ ହିଁ ଏହି ଯୁବକଙ୍କୁ ନେଇଗଲେ ତାଙ୍କ ପାଖକୁ।
ତେବେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅଧୀନ ମା’ ଦକ୍ଷିଣେଶ୍ବରୀ ମନ୍ଦିରରେ ଉଭୟ ବର-କନ୍ୟା ଲୋକଙ୍କ ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ଶେଷ କରାଯାଇଥିଲା। ହେଲେ ନିର୍ବନ୍ଧ କାର୍ଯ୍ୟ ସରିବାର ମାତ୍ର ଦିନ କେଇଟା ପରେ ଦୁର୍ଘଟଣାରେ ପୁଅର ମୃତ୍ୟୁ ଘଟିବା ଭଳି ଏକ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।
ରାଜ୍ୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାଳକାଟି ଫାଣ୍ଡି ଅଧୀନ ସରକଣା ଗ୍ରାମର ପୂର୍ବତନ ସରପଞ୍ଚ ରାଜେନ୍ଦ୍ର କୁମାର ସାହୁଙ୍କ ବଡ଼ପୁଅ ପ୍ରଦୀପ କୁମାର ସାହୁ (୩୬)ଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇସାରିଛି।ପ୍ରଦୀପ କଟକ ଜିଲ୍ଲା ଅଧୀନ ଜଗତପୁର ଥାନା ଅଞ୍ଚଳରେ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲେ। ତେବେ ପ୍ରଦୀପଙ୍କର ବିବାହ ଜୟଦେବ ପଞ୍ଚାୟତ ଅଞ୍ଚଳରେ ସ୍ଥିର ହୋଇଥିଲା। ଆସନ୍ତା ଫେବୃଆରୀ ୨୩ ତାରିଖରେ ପ୍ରଦୀପଙ୍କର ବିବାହ ହେବ ବୋଲି ସ୍ଥିର ହୋଇଥିଲା।
ତେବେ ପ୍ରତିଦିନ ଭଳି ନୂଆବର୍ଷ ଦିନ ମଧ୍ୟ ପ୍ରଦୀପ କାମ ସାରି ଘରକୁ ଫେରୁଥିଲେ। ହେଲେ କାଠଯୋଡ଼ି ବ୍ରିଜ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେବା ଫଳରେ ପ୍ରଦୀପଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ସ୍ଥାନୀୟ ଲୋକ ପ୍ରଦୀପଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି କଟକ ବଡ଼ ହସ୍ପିଟାଲକୁ ପଠାଇଥିଲେ। ହେଲେ ଡାକ୍ତର ସେଠାରେ ପ୍ରଦୀପଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଶେଷରେ ଗ୍ରାମ ଶ୍ମଶାନରେ ଅନ୍ତେଷ୍ଟି କ୍ରିୟା ସଂପାଦନ କରାଯାଇଥିଲା। ତେବେ ଏହି ଖବର ବର୍ତ୍ତମାନ ଗ୍ରାମରେ ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଛି।