ମସ୍କୋ : ସାରା ବିଶ୍ଵରେ ଅନେକ ଦେଶ କରୋନା ଟିକା ପ୍ରସ୍ତୁତ କରିବାରେ ଲାଗି ପଡ଼ିଥିଲାବେଳେ ରୁଷ ଏହା ପ୍ରସ୍ତୁତ କରିଦେଲା ବୋଲି ଦାବି କରିଛି । ରୁଷର ସେଚେନୋଭ୍ ବିଶ୍ୱବିଦ୍ୟାଳୟ କହିବାନୁଯାୟୀ ଏହା ବିଶ୍ୱର ପ୍ରଥମ କରୋନା ଟିକା ଯାହା ମଣିଷ ଉପରେ ପରୀକ୍ଷଣ କରାଯାଇଥିଲା ଓ ତାହା ସଫଳ ହୋଇଛି ।
ଇଷ୍ଟିଚ୍ୟୁଟ ଫର୍ ଟ୍ରାନ୍ସଲେସନ ମେଡ଼ିସିନ ଆଣ୍ଡ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠାନର ନିର୍ଦ୍ଦେଶକ ଭାଡିମ୍ ତାରାସୋଭଙ୍କ କହିବାନୁଯାୟୀ ଯେଉଁ ସ୍ଵେଚ୍ଛାସେବୀମାନଙ୍କୁ କରୋନା ଟିକାର ପ୍ରୟୋଗ କରାଯାଇଥିଲା ସେମାନଙ୍କ ପ୍ରଥମ ଦଳକୁ ବୁଧବାର ଦିନ ଡିସଚାର୍ଯ କରାଯାଇଛି ଏବଂ ଦ୍ୱିତୀୟ ଦଳକୁ ଜୁଲାଇ ୨୦ ତାରିଖରେ ହସ୍ପିଟାଲରୁ ଛୁଟି ଦିଆଯିବ ।
ତାରାସୋଭଙ୍କ ଦେଇଥିବା ସୂଚନା ଅନୁଯାୟୀ, ରୁଷର ଗେମଲି ଇନଷ୍ଟିଚ୍ୟୁଟ ଅଫ୍ ଏପିଡ଼େମିୟୋଲାଂଜି ଆଣ୍ଡ୍ ମାଇକ୍ରୋବାୟୋଲୋଜି ଦ୍ଵାରା ନିର୍ମିତ କରୋନା ଟିକାକୁ ବିଶ୍ଵବିଦ୍ୟାଳୟ ଜୁନ ୧୮ ତାରିଖରେ ପରୀକ୍ଷା କରିବା ଆରମ୍ଭ କରିଥିଲା । ଏହି ପ୍ରଥମ ଟିକା ସ୍ଵେଚ୍ଛାସେବୀମାନଙ୍କ ଉପରେ ସଫଳତାର ସହିତ ପରୀକ୍ଷଣ ଶେଷ କରିଛି ।
ଏହାସହିତ ବିଶ୍ୱବିଦ୍ୟାଳୟରେ ଇଷ୍ଟିଚ୍ୟୁଟ ଅଫ୍ ମେଡ଼ିକାଲ ପାରାସିଟୋଲୋଜି, ଟ୍ରପିକାଲ୍ ଆଣ୍ଡ୍ ବ୍ୟାକ୍ଟେରରିଆ ଜନ୍ମିତ ରୋଗର ନିର୍ଦ୍ଦେଶକ ଆଲେକ୍ସଜାଣ୍ଡାର୍ ଲୁକାଶେଭ୍ ସ୍ପୁଟ୍ନିକଙ୍କୁ କହିଲେ ଯେ ମାନବ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ କୋଭିଡ଼-୧୯ ଟିକାକୁ ସଫଳତାର ସହିତ ପ୍ରସ୍ତୁତ କରିବା ଏହି ଅଧ୍ୟୟନର ଉଦ୍ଦେଶ୍ୟ । ଟିକାର ସମସ୍ତ ଦିଗକୁ ସୁରକ୍ଷା ପାଇଁ ଯାଞ୍ଚ କରାଯାଇଛି ଏବଂ ଏହା ଶୀଘ୍ର ବଜାରରେ ଉପଲବ୍ଧ ମଧ୍ୟ ହେବ ।
ଲୁକାଶେଭଙ୍କ କହିବାନୁଯାୟୀ ପରବର୍ତ୍ତୀ ରଣନୀତି ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ଶୀଘ୍ର ଏହାର ସୂଚନା ଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ କରୋନା ମହାମାରୀ ବିରୋଧରେ ଲଢେଇରେ ଟିକା ପ୍ରସ୍ତୁତ କରିବାରେ ସେଚିନୋଭ ବିଶ୍ୱବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଏବଂ ଆମେ ଏହି ଟିକା ସହିତ କାମ କରିବା ଆରମ୍ଭ କଲୁ । ବର୍ତ୍ତମାନ ଅଧ୍ୟୟନ, ପ୍ରୋଟୋକଲ୍ ବିକାଶ ଏବଂ କ୍ଲିନିକାଲ୍ ପରୀକ୍ଷା ଚାଲିଛି ।