ଚର୍ଚ୍ଚିତ ତଥା ଲୋକପ୍ରିୟ ଓଡ଼ିଆ ସିନେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ରିଲ୍ ଲାଇଫ୍ ପରେ ରିଏଲ ଲାଇଫ୍ରେ ସବ୍ୟ ଏବଂ ଅର୍ଚ୍ଚିତା ୭ ଜନ୍ମ ପାଇଁ ଅଗ୍ନିକୁ ସାକ୍ଷୀ ରଖି ବାନ୍ଧି ହେବେ ବିବାହ ବନ୍ଧନରେ ।
ମିଳିଥିବା ସୂଚନା ଅନୁସାରେ ପୂର୍ବରୁ ଭଉୟଙ୍କ ନିର୍ବନ୍ଧ ଶେଷ ହୋଇ ସାରିଥିବା ବେଳେ ବିବାହ ନେଇ ସୋସିଆଲ ମିଡ଼ିଆରେ ଟ୍ଵିଟ କରିଛନ୍ତି ସବ୍ୟ । ରବିବାର ଦିନ ଏକ ଟ୍ଵିଟ କରି ସେ ଲେଖିଛନ୍ତି ଯେ ଆସନ୍ତାକାଲି ରାଜସ୍ଥାନର ଏକ ବିଳାଶପୂର୍ଣ୍ଣ ହୋଟେଲରେ ସେମାନଙ୍କର ବିବାହ ସମ୍ପନ୍ନ ହେବ । ଆଉ ଏକ ଟ୍ଵିଟ କରି ସେ ଲେଖିଛନ୍ତି ଯେ “ସୁଖ ଓ ଦୁଃଖର ନାମ ଜୀବନ । ଅନେକଥର ଲାଗେ, ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ ।ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଳିପାରିଲା । ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ । ଆସନ୍ତାକାଲି ଆମର ବାହାଘର । ଆମ ପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ ।
ତେବେ ସୂଚନାଥାଉ ଯେ ଦୁହିଁଙ୍କ ଯୋଡ଼ିକୁ ନେଇ ପୂର୍ବରୁ ମଧ୍ୟ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଚାଲିଥିଲା । ସୋସିଆଲ ମିଡ଼ିଆରେ ଏହି ଖବର ପ୍ରକାଶ ପାଇବା ପରେ ପ୍ରଂଶସକମାନଙ୍କର ଶୁଭେଚ୍ଛାର ସୁଅ ସୁଟିଛି । ଅର୍ଚ୍ଚିତା ଏବଂ ସବ୍ୟସାଚୀ ଏକାଠି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି, ଯଥା : ‘ତୋର ମୋର ଯୋଡି ସୁନ୍ଦର’, ‘କେଉଁ ଦୁନିଁଆରୁ ଆସିଲ ବନ୍ଧୁ’, ‘ହେଲା ମୋତେ ପ୍ରେମ ଜର’, ‘ପିଲାଟା ବିଗିଡ଼ି ଗଲା’, ‘ମୁଁ ସପନର ସୌଦାଗର’, ‘ପାଗଳ କରିଛି ପାଉଁଜି ତୋର’, ‘କେବେ ତୁମେ ନାହଁ,କେବେ ମୁଁ ନାହିଁ’, ‘ମୁଁ ଏକା ତୁମର’ ଏବଂ ‘ମୋତେ ଆଣିଦେଲ ଲକ୍ଷ ଫଗୁଣ’ ଆଦି ଦର୍ଶକଙ୍କ ମନକୁ ଖୁବ୍ ଛୁଇଁଥିଲା ।