ସଂସ୍କାର : ଦୁଇଚକିଆ ଯାନରେ ଛୋଟ ଛୁଆଙ୍କୁ ନେଉଛନ୍ତି କି ଆପଣ ? ତେବେ ଛୋଟ ପିଲାଙ୍କୁ ୨ ଚକିଆ ଯାନରେ ନେବା ପାଇଁ ନୂଆ ଟ୍ରାଫିକ ନିୟମ ଜାରି ହୋଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨ ଚକିଆ ଚାଳକଙ୍କ ପାଇଁ ଏହି ନୂଆ ନିୟମ ଆଣିଛନ୍ତି। ଏଥିରେ ଚାରି ବର୍ଷରୁ କମ ପିଲାମାନଙ୍କୁ ଦୁଇ ଚକିଆ ଯାନରେ ନେବା ଲାଗି ନୂତନ ସୁରକ୍ଷା ନିୟମ ଜାରି କରାଯାଇଛି।
ନୂଆ ନିୟମ ଅନ୍ତର୍ଗତ ଦୁଇ ଚକିଆ ଚାଳକ ପିଲାମାନଙ୍କ ପାଇଁ ହେଲମେଟ ଏବଂ ହାର୍ନେସ୍ ବେଲ୍ଟ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି।

ଏହା ସହିତ ଗାଡିର ବେଗକୁ ଘଣ୍ଟାପ୍ରତି ୪୦ କିଲୋମିଟର ମଧ୍ୟରେ ସୀମିତ ରଖିବାକୁ କୁହାଯାଇଛି। ଏହି ନୂତନ ଟ୍ରାଫିକ ନିୟମର ଉଲ୍ଲଂଘନ କଲେ ୧୦୦୦ ଟଙ୍କା ଜରିମାନା ଏବଂ ତିନିମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ଛଡ଼ାଇ ନିଆଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି।
ଦୁଇ ଚକିଆ ଯାନରେ ବସିଥିବା ପିଲାମାନଙ୍କ ପାଇଁ ଅଧିକ ନିରାପତ୍ତ ରହିବାକୁ କୁହାଯାଇଛି। ଏକ ନୂତନ ନିୟମକୁ ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ରୀୟ ମୋଟର ଯାନ ଅଧିନିୟମରେ ସଂଶୋଧନ କରାଯାଇଛି। ଏହି ନିୟମ ଚାରି ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ଲାଗୁହେବ।

ନୂତନ ନିୟମ ଅନୁଯାୟୀ, ବ୍ୟବହୃତ ନିରାପତ୍ତା ହାର୍ନେସ୍ ହାଲୁକା, ୱାଟରପ୍ରୁଫ, କୁସନଯୁକ୍ତ ହେବା ସହିତ ଏହା ୩୦ କିଲୋଗ୍ରାମ ଭାର ଧାରଣ କରିବା ଉପଯୋଗୀ ହୋଇଥିବା ଆବଶ୍ୟକ।
ନୂତନ ନିୟମ ଅନୁସାରେ ଛୋଟ ପିଲା ଯାତ୍ରା ସମୟରେ କ୍ରସ ହେଲମେଟ କିମ୍ବା ସାଇକିଲ୍ ହେଲମେଟ ପିନ୍ଧିବା ଆବଶ୍ୟକ। ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ନିର୍ଦ୍ଦିଷ୍ଟ ମାନକଯୁକ୍ତ ହେଲମେଟ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଛି। ପିଲାମାନଙ୍କ ପାଇଁ କିଭଳି ହେଲମେଟ ତିଆରି କରାଯିବ ସେ ନେଇ କେନ୍ଦ୍ର ପକ୍ଷରୁ ହେଲମେଟ୍ ନିର୍ମାତା କମ୍ପାନୀଗୁଡ଼ିକୁ ସୂଚିତ ମଧ୍ୟ କରା ଯାଇସାରିଛି ।