କରୋନା ମହାମାରୀ ବିରୋଧ ସଂଗ୍ରାମରେ ଗୁଣ୍ଡୁଚି ସାଜିଛି ଏହି ଅନୁଷ୍ଠାନ, ମାଗଣାରେ ଯୋଗାଇଲାଣି ୧୭,୦୦୦ ମାସ୍କ

ଓଡ଼ିଶା ବି କରୋନାଭାଇରସ ପ୍ରକୋପରେ ହନ୍ତସନ୍ତ ହେଉଛି । ଏବେ ସୁଦ୍ଧା ରାଜ୍ୟରେ କୋଭିଡ଼-୧୯ ମହାମାରୀ ଜନିତ ୪୪ ଜଣ ଆକ୍ରାନ୍ତ ଥିବାବେଳେ ଜଣଙ୍କର ମୃତ୍ୟୁ ହୋଇସାରିଛି । ଏ ବିପଦ ସମୟରେ ଯାଜପୁରର ସହେଲି ନାମକ ଘରୋଇ ଅନୁଷ୍ଠାନ ସ୍ଥାନୀୟ ଅଞ୍ଚଳରେ ମାଗଣାରେ ଯୋଗାଉଛି ମାସ୍କ । ପ୍ରାୟ ୧୭,୦୦୦ ମାସ୍କ ମାଗଣାରେ ବାଣ୍ଟିଥିଲା ବେଳେ ଆହୁରି ଅଧିକ ସଂଖ୍ୟାରେ ମାସ୍କ ତିଆରି କରି ସ୍ଥାନୀୟ ଲୋକଙ୍କୁ ଯୋଗାଇ ଦେବାରେ ଲକ୍ଷ୍ୟ ରଖିଛି ସହେଲି ଅନୁଷ୍ଠାନ ।  

ସହେଲି ଅନୁଷ୍ଠାନର ଜଣେ କର୍ମଚାରୀଙ୍କ କହିବାନୁଯାୟୀ ମାସ୍କ ତିଆରି କରି ସେମାନେ ମେଡ଼ିକାଲରେ, ଛକମାନଙ୍କରେ, ଥାନାରେ, ମୁନିସିପାଲଟିରେ ସେସବୁକୁ ବାଣ୍ଟୁଛନ୍ତି । ସକାଳ ୮ ତା ସୁଦ୍ଧା ନିଜ ଘର କାମ ସାରି ଏଠି ମାସ୍କ ତିଆରି କାମ କରୁଛନ୍ତି । ଲୋକମାନଙ୍କ ସେବା ଉଦ୍ଦେଶ୍ୟରେ ପ୍ରତିଦିନ ୫ରୁ ୬ ଜଣ ସହେଲି ଅନୁଷ୍ଠାନରେ କାମ କରୁଛନ୍ତି ।

ରାଜ୍ୟରେ ରାଜ୍ୟ ସରକାରଙ୍କ କୋଭିଡ଼-୧୯ ମହାମାରୀକୁ ନେଇ ଲକଡାଉନ ଘୋଷଣା ପରେ ସହେଲି ଆରମ୍ଭ କଲା ମାସ୍କ ତିଆରି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ନିକଟରେ ପ୍ରଥମେ ମାସ୍କ ପହଞ୍ଚିଥିଲା ସହେଲି ତରଫରୁ । ସରକାରୀ ଅନୁଦାନ ପରେ ବି ନିଜ କ୍ଷମତା ମୁତାବକ ମାସ୍କ ତିଆରି କରି ଅଭାବୀମାନଙ୍କୁ ଯୋଗାଇଦେବାର ଲକ୍ଷ୍ୟ ରଖିଛନ୍ତି ସେମାନେ । ଯେତେଦିନ ପର୍ଯ୍ୟନ୍ତ ଏ ମହାମାରୀର ତାଣ୍ଡବ ଚାଲିଥିବ, ସେଯାଏଁ ଏପରି ମାସ୍କ ତିଆରି କରି ଆବଶ୍ୟକ ଲୋକଙ୍କୁ ମାଗଣାରେ ଯୋଗାଇଦେବୁ ବୋଲି ଅନୁଷ୍ଠାନ ତରଫରୁ ନିଷ୍ପତ୍ତି ନେଇଛୁ ବୋଲି କହିଛନ୍ତି ଅନୁଷ୍ଠାନର ମୁଖ୍ୟ ।  

Leave a Reply

Your email address will not be published. Required fields are marked *