ଆଜି ଏଇ ଗାଁର ସମସ୍ତଙ୍କ ଆଖିରେ କେବଳ ଲୁହର ବନ୍ୟା । କାହିଁକି ନା, ଦେଶ ପାଇଁ କାମ କରୁ କରୁ ସହିଦ ହେଇଛନ୍ତି ଏଇ ଗାଁ ମାଟିର ପୁଅ । ଯେଉଁ ପୁଅ ଗାଁକୁ ବିଦାୟ ଦେଇ, ଦେଶ ପାଇଁ କାମ କରିବାକୁ ବାହାରି ପଡୁଥିଲା । ଆଜି ସେଇ ଗାଁ – ନିଜ ସହିଦ ପୁଅକୁ ଦେଇଛି ଶେଷ ବିଦାୟ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାଁ ମଶାଣୀରେ ଜଳିଛି ସହିଦ ଜନସନ୍ ବେହେରାଙ୍କ ପାର୍ଥିବ ଶରୀର ।
ଜନସନ୍ ବେହେରାଙ୍କ ଘର କଟକ ଜିଲ୍ଲା ତିଗିରିଆ ଥାନା ଅଚଳକୋଟ ଗାଁରେ । ୨୩ ବର୍ଷୀୟ ଜନସନ୍ ଭାରତୀୟ ନୌସେନାରେ ଚାକିରି କରୁଥିବାବେଳେ, ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାରରେ ଡ୍ୟୁଟି କରୁଥିଲେ । ହେଲେ ଗତ ୩ ତାରିଖରେ ଏକ ଦୁର୍ଘଟଣା ସବୁକିଛି ଓଲଟପାଲଟ କରିଦେଇଥିଲା । ଡ୍ୟୁଟି କରୁ କରୁ ଆଖି ବୁଜିଥିଲେ ଭାରତ ମାଆର ଏହି ଯବାନ।
ଦେଶ ପାଇଁ ସହିଦ ହେବା ପରେ, ଗାଁରେ ପହଂଚିଥିଲା ଜନସନଙ୍କ ପାର୍ଥିବ ଶରୀର । ମୃତ୍ୟୁ ପରେ ମାଆର ଚେତା ଫେରୁନି…ବାପା ବି କଥା ଟିକେ କହିବାକୁ ଅକ୍ଷମ । ଆଉ ଏଭଳି ସମୟରେ ଛଳ ଛଳ ଆଖିରେ ଗାଁର ପୁଅକୁ ବିଦାୟ ଦେଇଛନ୍ତି ଗ୍ରାମବାସୀ ।
ଗାଁରେ ସହିଦ ଯବାନଙ୍କ ପାର୍ଥିବ ଶରୀର ପହଂଚିବା ପରେ, ରାଷ୍ଟ୍ରୀୟ ସମ୍ମାନ ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ ହେଇଛି । ମୃତ ଯବାନଙ୍କ ସାନ ଭାଇ ନିଜ ବଡ ଭାଇ ମୁହଁରେ ମୁଖାଗ୍ନି ଦେବା ପରେ, ନୌସେନା ପକ୍ଷରୁ ତୋପ ସଲାମୀ ଦିଆଯାଇଥିଲା । ରାଜ୍ୟ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମଧ୍ୟ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।