ଲକଡାଉନ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ଗରିବ ଲୋକେ । ଖାଦ୍ୟ ଏବଂ ପାନୀୟର ଅଭାବ ସବୁଠୁ ବଡ ସମସ୍ୟା । ଏଭଳି ପରିସ୍ଥିତିରେ ବଲିଉଡର ସୁପର ଷ୍ଟାର ସଲମାନ ଖାନ ପୁଣି ଥରେ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଶଗଡ଼ ଏବଂ ଟ୍ରାକ୍ଟର ମାଧ୍ୟମରେ ରାସନ ବଣ୍ଟନ କରୁଥିବା ସଲମାନ ଖାନଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ସଲମାନ ଖାନ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ଶଗଡ଼ ଗାଡ଼ି ଓ ଟ୍ରାକ୍ଟରକୁ ରାସନରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଛି । ସଲମାନ, ବନ୍ଧୁ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ଏବଂ ଅରବାଜ ଖାନଙ୍କ ଗର୍ଲଫ୍ରେଣ୍ଡ ଜର୍ଜିଆ ଆଣ୍ଡ୍ରେନିଙ୍କ ସହ ୟୁଲିଆ ଭାଣ୍ଟୁର ମଧ୍ୟ ଏହି ରାସନ ବାଣ୍ଟିବାରେ ସାହାଯ୍ୟ କରିବା ଭିଡ଼ିଓରେ ନଜରକୁ ଆସିଛି ।
ସଲମାନ ଖାନଙ୍କ ଏହି ଭିଡ଼ିଓକୁ ଏପର୍ଯ୍ୟନ୍ତ ୯ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି । ଏହାକୁ ଶେୟାର କରି ସଲମାନ ଭାଇଜାନ ଲେଖିଛନ୍ତି ଯେ ଆପଣଙ୍କ ଅବଦାନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ।
ଲକଡାଉନ ହେତୁ ସଲମାନ ଖାନ ତାଙ୍କ ପନଭେଲ ଫାର୍ମହାଉସରେ ସମୟ ବିତାଉଛନ୍ତି ଓ ବାରମ୍ବାର ଲୋକଙ୍କୁ ଲକଡାଉନ ନିୟମ ମଣିବାକୁ ନିବେଦନ କରିଛନ୍ତି । ଏହାଛଡ଼ା ସଲମାନ ଖାନ କାରଖାନାର ଦିନ ମଜୁରୀଆଙ୍କୁ ବି ସାହାଯ୍ୟ କରିବା ପାଇଁ ହାତ ବଢାଇଛନ୍ତି । ନିଜ ବ୍ୟାଙ୍କ ଆକାଉଣ୍ଟରୁ ୪ କୋଟି ୮୦ ଲକ୍ଷ ଟଙ୍କା ସେ ୧୬,୦୦୦ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିଛନ୍ତି ।