ଗତ ସେପ୍ଟେମ୍ବର ୪ ତାରିଖରୁ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ସମସ୍ୟା । ଉଭୟ ଉଭୟଙ୍କୁ ସଙ୍ଗୀନ ଅଭିଯୋଗରେ ଆରୋପିତ କଲାବେଳେ ଘର ଭିତର କଥା ଆସି ଦାଣ୍ଡରେ ପଡ଼ିଲାଣି । ଏ ସମୟରେ କିନ୍ତୁ ଅନୁଭବଙ୍କ ସପକ୍ଷରେ ବାହାରିଛନ୍ତି ଅଭିନେତ୍ରୀ ସମ୍ଭାବନା ମହାନ୍ତି ଏବଂ ଅନୁଭବଙ୍କ ପ୍ରେସ୍ ରିଲିଜ୍ ପୋଷ୍ଟରେ ନିଜର ପ୍ରତିକ୍ରିୟା ରଖି ଜନତାଙ୍କ କ୍ଷୋବର ଶିକାର ହୋଇଛନ୍ତି ସେ ।

ତେବେ ସମ୍ଭାବନା ପ୍ରଥମେ ଲେଖିଥିଲେ, ଅନୁଭବ ମହାନ୍ତି ଭାଇ, ନୀରବତା ଭାଙ୍ଗି ଶେଷରେ ମୁହଁ ଖୋଲିବାକୁ ନିଷ୍ପତ୍ତି ନେଇଥିବାରୁ ଶୁଭେଚ୍ଛା । ତାଙ୍କର ଏ ଲେଖା ଉପରେ କେତେକ ୟୁଜର୍ସ ପ୍ରତିକ୍ରିୟା ରଖିଲେ । ଜଣେ ୟୁଜର୍ସ ସମ୍ରାଟ ରଞ୍ଜନ ପଣ୍ଡା ଲେଖିଲେ, ଶୁଭେଚ୍ଛା କ’ଣ ପାଇଁ ? ଆମେ ରାୟ ଆସିବା ଯାଏଁ ଅପେକ୍ଷା କରିବା ଦରକାର । ଏକପାଖିଆ ଭାବେ ଆମେ କାହାକୁ ଦୋଷ ଦେଇପାରିବାନି କି ପ୍ରଶଂସା କରିପାରିବାନି । ଯଦି ଅଭିଯୋଗ ସତ ହେଇଥାଏ ଅନୁଭବ ଦଣ୍ଡ ପାଇବା ଦରକାର । ଯଦି ଅଭିଯୋଗ ମିଛ ହୋଇଥିବ ବର୍ଷା ସମସ୍ତଙ୍କ ବିଶ୍ଵାସ ହରାଇବେ ।

ସମ୍ଭାବନା କିନ୍ତୁ ଚୁପ୍ ବସିଲେନି । ଏ ପ୍ରତିକ୍ରିୟାର ଏକ ଦୀର୍ଘ ଉତ୍ତର ଲେଖିଲେ ସମ୍ଭାବନା । କହିଲେ ‘କେବଳ ବର୍ଷା ଦି’ଙ୍କ ବିଶ୍ଵସନୀୟତା କାହିଁକି ଅନୁଭବ ଭାଇଙ୍କ ବିଶ୍ଵସନୀୟତା କାହିଁକି ନୁହେଁ ? ମୁଁ ପିଲାଟିବେଳୁ ସେ ଦୁହିଁକୁ ଜାଣିଛି । ତୁମମାନଙ୍କଠାରୁ ସେ ଦୁଇ ଜଣଙ୍କୁ ମୁଁ ବେଶୀ ଜାଣିଛି । ଆମେ ସବୁବେଳେ ମହିଳାଙ୍କ ଉତ୍ପୀଡନ ବାବଦରେ ଅନ୍ଧ ଭାବରେ କହିଥାଉ ହେଲେ ଭୁଲିଯାଉ ଯେ ପୁରୁଷମାନେ ବି ବହୁତ କିଛି ଦେଇ ଗତି କରିଥା’ନ୍ତି । ଆଉ ଏବେ ମୁଁ ଜଣେ ମହିଳା ହିସାବରେ କହୁଛି ଯେ ଆମେ ଏଭଳି ଏକ ସମାଜରେ ରହୁଛେ ଯେଉଁଠାରେ କେବଳ ମହିଳାଙ୍କ କଥା ଶୁଣାଯାଏ ଏବଂ ପୁରୁଷଙ୍କୁ ଦୋଷ ଦିଆଯାଏ । ଯାଅନ୍ତୁ । ଆପଣମାନଙ୍କୁ ଯାହା ବିଶ୍ଵାସ କରିବାର ଅଛି କରନ୍ତୁ । ତା’ଛଡ଼ା ମୁଁ ଏଠି ରାୟ ଶୁଣାଉନି । ଆପଣମାନେ ବି ଶୁଣାନ୍ତୁନି ।
ସୂଚନା ଅନୁଯାୟୀ ସମ୍ଭାବନାଙ୍କ ଏ ଉତ୍ତର ପରେ ଜନତା ଦୁଇ ଭାଗ ହେଇଯାଇଛନ୍ତି । ଥୋଡ଼ାଏ ସମ୍ଭାବନାଙ୍କ ସପକ୍ଷରେ ଲେଖିଲାବେଳେ କେତେକ ୟୁଜର୍ସ ତାଙ୍କ ବିପକ୍ଷରେ ବି ନିଜ ନିଜର ମତ ଦେଉଛନ୍ତି ।