ସଂସ୍କାର: ଗୋଟିଏ ଦିନରେ ଦିଆଗଲା ୮୧ ଜଣ ଅପରାଧୀଙ୍କୁ ଫାଶୀ। ଦୁଷ୍କର୍ମ, ହତ୍ୟା, ଧାର୍ମିକସ୍ଥଳରେ ହମଲା, ଆତଙ୍କବାଦୀଙ୍କ ସହ ସମ୍ବନ୍ଧ ପରି ଅନେକ ସଙ୍ଗୀନ ଅପରାଧରେ ସାମିଲ୍ ଥିବା ଜଣାପଡିବା ପରେ, ୮୧ ଜଣ ଅପରାଧୀଙ୍କୁ ଗୋଟିଏ ଦିନରେ ଫାଶି ଦିଆଯାଇଛି। ଏମିତି ଏକ ଘଟଣା ଘଟିଛି ସାଉଦି ଆରବରେ। ସାଉଦି ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୧୨ ମାର୍ଚ୍ଚ ଶନିବାର ସାଉଦି ଆରବର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ସମସ୍ତଙ୍କୁ ଫାଶି ଦେଇଛି।
ଏଥିରୁ ଅନେକ ଦୁର୍ଦ୍ଦାନ୍ତ ଆତଙ୍କୀ ସଂଗଠନ ଆଇଏସଆଇଏସ ଏବଂ ଅଲକାଏଦା ସହିତ କାମ କରୁଥିଲେ। ଆଉ କିଛି ହତ୍ୟା ତଥା ଦୁଷ୍କର୍ମ ପରି ଘଟଣାରେ ସଂପୃକ୍ତ ଥିଲେ।
ଫାଶି ପାଇଥିବା ଲୋକଙ୍କ ମଧ୍ୟରେ କିଛି ବିଦେଶୀ ମଧ୍ୟ ସାମିଲ୍। ଏଥିରୁ ଅଧିକାଂଶ ୟମନର ନାଗରିକ ଥିଲେ। ସମସ୍ତେ ଧାର୍ମିକ ସ୍ଥଳ ଏବଂ ସରକାରୀ ସଂସ୍ଥାକୁ ଟାର୍ଗେଟ୍ କରିବା, ସୁରକ୍ଷା ଅଧିକାରୀଙ୍କ ହତ୍ୟା କରିବା, ଲ୍ୟାଣ୍ଡମାଇନ୍ ବିଛାଇବା, ଅପହରଣ, ଅତ୍ୟାଚାର ଏବଂ ବଳାତ୍କାର, ଡକାୟତି ପରି ଅପରାଧରେ ସଂପୃକ୍ତ ଥିଲେ।
ଶୁଣାଣି ସମୟରେ ସମସ୍ତ ଅପରାଧୀଙ୍କୁ ଅଦାଲତ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ। ମନ୍ତ୍ରଣାଳୟ କହିଛି, ତଳ କୋର୍ଟ ଏବଂ ସୁପ୍ରିମକୋର୍ଟ ସମସ୍ତ ଦୋଷୀଙ୍କ ମୃତ୍ୟୁଦଣ୍ଡ ଉପରେ ମୋହର ମାରିଥିଲେ। ମିଡିଆ ରିପୋର୍ଟ ମୁତାବକ ଅଦାଲତ ନିର୍ଦ୍ଦେଶରେ ସମସ୍ତଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି।