ପ୍ରତିଦିନ କେଉଁଠି ନା କେଉଁଠି ଜଣେ ମହିଳା ଧର୍ଷଣ ହେବା ଏକ ସାଧାରଣ ଘଟଣା ହୋଇଗଲାଣି । ପୁଣିଥରେ ସାମ୍ନାକୁ ଆସିଛି ଏକ ଦୁଷ୍କର୍ମ ଘଟଣା ଯେଉଁଥିରେ ୧୬ ବର୍ଷୀୟ ଅନୁସୂଚିତ ଜାତିର ନାବାଳିକାକୁ ପ୍ରଥମେ ଅପହରଣ କରାଗଲା । ସମ୍ବଲପୁର ଟାଉନ୍ ଥାନାଞ୍ଚଳରେ ଏକ ପରିତ୍ୟକ୍ତ ଘରେ ରଖି ୬ ଦିନ ଧରି ତା ସହିତ କରାଗଲା ଦୁଷ୍କର୍ମ ଯାହା ଗତ ମାସରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତେବେ ଫେବୃୟାରୀ ୨୦ ତାରିଖ ଦିନ ପୋଲିସ ପୀଡ଼ିତାକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । କିନ୍ତୁ ଗତକାଲି ରାତିରେ ଉକ୍ତ ପୀଡ଼ିତାକୁ ଏକ ବିଦ୍ୟୁତ ତାରରେ ତଣ୍ଟି ଚିପି ହତ୍ୟା ଉଦ୍ୟମ ଘଟଣା ପୁଣିଥରେ ସାମ୍ନାକୁ ଆସିଛି ।
ଖବର ଅନୁସାରେ ଏନେଇ ଅଭିଯୋଗ ହେବା ପରେ ଧମା ପୋଲିସ ପୀଡ଼ିତାକୁ ଉଦ୍ଧାର କରିଥିଲା ଏବଂ ସିଡବ୍ଲ୍ୟୁସିରେ ହାଜର କରାଇଥିଲା । କେବଳ ସେତିକି ନୁହେଁ, ପୀଡ଼ିତାକୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ପୁଣିଥରେ ଘଟିଗଲା ଏକ ଅଘଟଣ ଯାହାକୁ ନେଇ ଧମା ଥାନାଧିକାରୀ ରାଜେଶ୍ୱରୀ ଭୋଇ ସ୍ଵୀକାର କରିଛନ୍ତି । ମାତ୍ର କହିଛନ୍ତି ଯେ ମାମଲା ତଦନ୍ତାଧୀନ ଥିବାରୁ ବର୍ତ୍ତମାନ ସେନେଇ କିଛି କହିହେବ ନାହିଁ ।
ସେପଟେ ଶୁଣିବାକୁ ମିଳୁଛି ଯେ ପୀଡ଼ିତା ଉଦ୍ଧାର ହେବା ପରଠାରୁ ହିଁ ବାରମ୍ବାର ଧମକ ମିଳୁଥିଲା । ହେଲେ ରବିବାର ଦିନ ରାତିରେ ପରିସ୍ରା ଯିବା ପାଇଁ ଘର ପଛପଟକୁ ଯାଇଥିବା ସମୟରେ କେହି ଦୁର୍ବୃତ୍ତ ଏକ ଇଲେକ୍ଟ୍ରିକ୍ ତାର ନେଇ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଉଦ୍ୟମ କରିଥିଲା । ସୌଭାଗ୍ୟବଶତଃ ସେ ଚିତ୍କାର କରିବାରୁ ପରିବାର ଲୋକେ ବାହାରି ଆସିଥିଲେ ଏବଂ ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଥିଲା । ତେବେ ସୋମବାର ଦିନ ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।
ସୂଚନାଥାଉ ଯେ ଫେବୃୟାରୀ ୧୫ ତାରିଖରେ ନାବାଳିକାର ଅପହରଣ ହୋଇଥିଲା ଏବଂ ଅଭିଯୁକ୍ତ ନାଏବ ସରପଞ୍ଚ ଆଲୋକ ବେହେରାକୁ ହସ୍ତାନ୍ତର କରାଯାଇଥିଲା । ତେବେ ସେଠାରେ ୬ ଦିନ ଧରି ପୀଡ଼ିତାଙ୍କୁ ଏକ ପରିତ୍ୟକ୍ତ ଘରେ ଜଗି ରହିଥିବା ଯୁବତୀ ଜଣଙ୍କ କିଏ ଥିଲେ । ଉକ୍ତ ଯୁବତୀଙ୍କ ସମ୍ପର୍କରେ ନା ଏତଲାରେ କିଛି ଲେଖା ଥିଲା ନା ନାବାଳିକାକୁ ଉଦ୍ଧାର ପରେ ଗଣମାଧ୍ୟମକୁ ଦେଇଥିବା ସୂଚନାରେ କିଛି କହିଥିଲା ପୋଲିସ, ଏମିତିକି ୧୦ ଦିନ ବିତିଯାଇଥିଲେ ହେଁ ତାର ଗିରଫଦାରି ନାହିଁ ।
ତେବେ ନାଏବ୍ ସରପଞ୍ଚ ଆଲୋକ ବେହେରା ବାପାଙ୍କ ସହ ଭେଟ କରାଇଦେବା କହି ନାବାଳିକାକୁ ଜଣେ ଯୁବତୀଙ୍କ ଦ୍ୱାରା ସମ୍ବଲପୁରକୁ ଡାକିଥିଲେ । ସେମାନେ ଅଇଁଠାପାଲି ବସ୍ଷ୍ଟାଣ୍ଡରେ ପହଞ୍ଚିବା ପରେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅଭିଯୁକ୍ତ ଆଲୋକ ତାଙ୍କୁ ଏକ ଅଟୋରେ ବସାଇ ଟାଉନ୍ ଥାନା ଅନ୍ତର୍ଗତ ଆଶାପାଲିରେ ଥିବା ଏକ ପରିତ୍ୟକ୍ତ ଘରକୁ ନେଇଯାଇଥିଲା । ସେଠାରେ ନାବାଳିକାକୁ ବଳାତ୍କାର କରିବା ପରେ ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ତାକୁ ମାରିଦେବାକୁ ଧମକ ଦେଲା । ଏହାପରେ ଅଭିଯୁକ୍ତ ଆଲୋକ ପୀଡ଼ିତାକୁ ଏକ ଅଟୋରେ ବସାଇ ତା ବାପା ରହୁଥିବା ସ୍ଥାନରେ ଛାଡ଼ିଦେଇ ଫେରାର୍ ହୋଇଯାଇଥିଲା ।