ଦିଲ୍ଲୀର ପିତମପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ଅପ୍ରେଲ ୨୧ ତାରିଖ ଦିନ ଗୋଟିଏ ପାର୍କରେ ଜଣେ ଛାତ୍ରଙ୍କୁ ତାଙ୍କର ଜଣେ ୨୦ ବର୍ଷୀୟ ବନ୍ଧୁ ଏପରି ନିର୍ମମ ହତ୍ୟା କରିଛନ୍ତି । ଉଭୟ ମୃତ ଏବଂ ଅଭିଯୁକ୍ତ ରୋହିନୀରେ ଥିବା ‘ମହାରାଜା ଆଗ୍ରାସେନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ’ ଷ୍ଟଟିଜ୍ରେ ବିବିଏ କରୁଛନ୍ତି । ତେବେ ସୋମବାର ଦିନ ଉତ୍ତର ପ୍ରଦେଶରୁ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ ହତ୍ୟା କରାଯାଇଥିବା ଛାତ୍ରର ବାପା ଗୋଟିଏ ଫ୍ୟାକ୍ଟ୍ରିରେ କାମ କରନ୍ତି । ପୁଅ ଘରକୁ ନଫେରିବାରୁ ସେ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ତାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅ ଅପ୍ରେଲ ୨୧ ତାରିଖ ସକାଳୁ ଘରୁ ଯାଇଥିଲା ଏବଂ ଆଉ ଫେରିନଥିଲା । ତେବେ ରବିବାର ଦିନ ପାର୍କରେ ପଚିବାକୁ ଆରମ୍ଭ କରିଥିବା ଗୋଟିଏ ମୃତଦେହ ନେଇ ଖବର ପାଇଥିଲା ପୋଲିସ । ଉକ୍ତ ମୃତଦେହ ନିକଟରେ ଗୋଟିଏ ବଡ଼ ଟେଡ୍ଡୀ ପଡ଼ିଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ । ଶବ ନିକଟରୁ ଡ୍ରଗ୍ସ ମଧ୍ୟ ମିଳିଥିବା ନେଇ ସୂଚନା ଦେଇଛି ପୋଲିସ ।

ତେବେ ତଦନ୍ତ ପାଇଁ ପୋଲିସକୁ ପ୍ରାୟ ୧୦୦ଟି ସିସିଟିଭି କ୍ୟାମେରାର ଯାଞ୍ଚ କରିବାକୁ ପଡ଼ିଥିଲା ଯେଉଁଥିରୁ ସେ ସୁରାଗ ପାଇଥିଲେ ଅଭିଯୁକ୍ତର । ଅଭିଯୁକ୍ତ ମୟଙ୍କ ସିଂହ ମଧ୍ୟ ଅପ୍ରେଲ ୨୩ ରୁ ଘରକୁ ଫେରି ନଥିବା ତାଙ୍କ ପରିବାର ଲୋକ କହିଥିଲେ । ତଦନ୍ତ ଜାରି ରଖିଥିବା ବେଳେ ଉତ୍ତର ପ୍ରଦେଶର ପିଲଖୁୱା ଅଞ୍ଚଳର ଗୋଟିଏ ଗାଁରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ପୋଲିସ କହିବାନୁସାରେ ମୟଙ୍କ ଉକ୍ତ ଛାତ୍ରଙ୍କୁ ତାଙ୍କ ଫୋନର ପାସୱାର୍ଡ ମାଗିଥିଲେ ଏବଂ ସେ ଦେବାକୁ ମନା କରିଦେଇଥିଲେ । ଫଳରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସ୍ଥିତି ଏପରି ହୋଇଥିଲା ଯେ ପ୍ରଥମେ ମୟଙ୍କ ତାଙ୍କ ବନ୍ଧୁଙ୍କୁ ପଥରରେ ଆକ୍ରମଣ କରିଥିଲେ । ତାପରେ କପଡ଼ା ବ୍ୟବହାର କରି ତଣ୍ଟି ଚିପି ଜୀବନରୁ ମାରି ଦେଇଥିଲେ ।