ସଂସ୍କାର : ଦେଶରେ ଦିନକୁ ଦିନ ବଳାତ୍କାରର ମାମଲା ବଢ଼ିବାରେ ଲାଗିଛି। ବଳାତ୍କାରୀମାନେ ଦିନକୁ ଦିନ ଅସହ୍ୟ ହୋଇଗଲେଣି। ଏହିକ୍ରମରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଘଟଣା ବର୍ତ୍ତମାନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛି।
ସୂଚନାଅନୁଯାୟୀ, ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହିଭଳି କାଣ୍ଡ ଘଟାଇଛନ୍ତି ପୀଡ଼ିତାଙ୍କ ସ୍କୁଲ ଶିକ୍ଷକ। ତେବେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ୍ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କରଉଲି ଜିଲ୍ଲାରେ ।
ପୋଲିସର କହିବା ଅନୁଯାୟୀ, ୧୧ ବର୍ଷର ପୀଡ଼ିତା ନାବାଳିକା ଷଷ୍ଠ ଶ୍ରେଣୀରେ ପାଠ ପଢ଼ନ୍ତି । ଗତ ମଙ୍ଗଳବାର ଦିନ ସେ ସ୍କୁଲକୁ ଯାଇ ଆଉ ଫେରିନଥିଲେ । ଏହାପରେ ପୀଡ଼ିତାଙ୍କ ମାଆ ସ୍କୁଲକୁ ଯାଇ ଖୋଜାଖୋଜି କରିଥିଲେ। ଏହି ସମୟରେ ସେ ଗୋଟିଏ ରୁମ୍ କୁ କେହି ଜଣେ କାନ୍ଦିବାର ପାଟି ଶୁଣିଥିଲେ । ରୁମ୍ ଟି ଭିତର ପଟରୁ ବନ୍ଦ ଥିଲା । ଜୋରରେ ଧକ୍କା ଦେଇ ରୁମ୍ ଖୋଲିବାରୁ ଭିତରେ ପୀଡ଼ିତାଙ୍କ ସହିତ ଅଭିଯୁକ୍ତ ଶିକ୍ଷକ ଥିଲେ। ପୀଡ଼ିତାଙ୍କ ମାଆଙ୍କୁ ଧକ୍କା ଦେଇ ଅଭିଯୁକ୍ତ ସେଠାରୁ ଦୌଡ଼ି ପଳାଇଥିଲେ।
ଏହାପରେ ପୀଡ଼ିତା ଜଣକ ଘଟଣା ସମ୍ପର୍କରେ ପୋଲିସ୍ ପାଖରେ ଜଣାଇ ଏଫଆଇଆର୍ ଦେଇଥିଲେ । ଖୋଜାଖୋଜି ପରେ ଗୁରୁବାର ଦିନ ଅଭିଯୁକ୍ତକୁ ପୋଲିସ୍ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ପୋକ୍ସୋ ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜସ୍ଥାନରେ ଗତ ତିନି ମାସ ଭିତରେ ୪ଟି ମାମଲା ଦାୟର୍ ହୋଇଛି । ଯେଉଁଥିରେ ଝିଅ ମାନେ ସେମାନଙ୍କ ସ୍କୁଲରେ ଧର୍ଷଣ ଓ ଶୋଷଣର ଶିକାର ହୋଇଛନ୍ତି। ତେବେ ସ୍କୁଲ ଶିକ୍ଷକଙ୍କର ଏଭଳି କାଣ୍ଡ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ଵିଷୟ ପାଲଟିଛି।