ସଂସ୍କାର : ରାଜ୍ୟ ସରକାରଙ୍କୁ ଘାରିଲା ପ୍ରାକୃତିକ ସମ୍ପଦର ସୁରକ୍ଷା ଚିନ୍ତା । ପ୍ରମୁଖ ପର୍ୟ୍ୟଟନସ୍ଥଳି ତଥା ରାଜ୍ୟର ସର୍ବୋଚ୍ଚ ଶୃଙ୍ଗ ଦେଓମାଳିରେ ଲାଗିଲା କଟକଣା । ଆଜିଠୁ ଦୁଇମାସ ପାଇଁ ଦେଓମାଳିରେ ଲାଗିଲା ୧୪୪ ଧାରା । ରାତି ୯ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି । ଏହି ସମୟରେ କୌଣସି ପର୍ଯ୍ୟଟକ କିମ୍ବା ସ୍ଥାନୀୟ ଲୋକ ବିନାଅନୁମତିରେ ସେହି ସ୍ଥାନରେ ରହିପାରିବେ ନାହିଁ ।
କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି କରାଯାଇଛି । ମଙ୍ଗଳବାର ମଧ୍ୟାହ୍ନ ୧୨ଟାରୁ ଆସନ୍ତା ୨ମାସ ଧରି ଏହି ଧାରା ବଳବତ୍ତର ରହିବ । ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପତ୍ରସଂଖ୍ୟା ୭୩୦/୨୨ରେ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁସାରେ, କିଛି ଦିନ ହେବ ଦେଓମାଳିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପାଇଁ ଜମୁଥିଲା ଲୋକଙ୍କ ଭିଡ଼ । ଅନେକ ପର୍ଯ୍ୟଟକ ଏଠି ଟେଣ୍ଟ୍ ପକାଇ ରାତ୍ରୀଯାପନ କରିବା ପାଇଁ ପସନ୍ଦ କରୁଥିଲେ ।
ଏହାସହ ଫାୟାର କ୍ୟାମ୍ପର ମଧ୍ୟ ରହିଥିଲା ଚାହିଦା ଯାହାର ପ୍ରଭାବ ଦେଓମାଳିରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ପଡୁଥିଲା । ତେବେ ପ୍ରାକୃତିକ ସମ୍ପଦ ଏବଂ ସୌନ୍ଦର୍ଯ୍ୟର ସୁରକ୍ଷା ପାଇଁ କୋରାପୁଟ ଜିଲ୍ଲାପାଳ ଅବଦଲ ଅଖତର ଏହି ନିଷେଧାଦେଶ ଜାରି କରିଛନ୍ତି ।