ସଂସ୍କାର : ବିବାହ ପୂର୍ବରୁ ସେକ୍ସ ମନା। ଏବେ ଇଣ୍ଡୋନେସିଆ ସରକାର ଏମିତି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ବହୁତ ଜଲ୍ଦି ଇଣ୍ଡୋନେସିଆରେ ବିବାହ ପୂର୍ବରୁ ସେକ୍ସ କରିବା ବ୍ୟାନ୍ ହୋଇଯିବ। ଏଥିସହ ବିବାହ ପରେ ବି କୌଣସି ପର ପୁରୁଷ ଏବଂ ମହିଳାଙ୍କ ସହିତ ସେକ୍ସ କରାଯାଇ ପାରିବ ନାହିଁ। ଏଥିପାଇଁ ଏକ ନୂଆ ଆଇନ ଆସୁଛି। ଏହି ଆଇନ ଅନୁସାରେ, କେବଳ ସ୍ୱାମୀ, ସ୍ତ୍ରୀଙ୍କ ପାଖରେ ହିଁ ଶାରୀରିକ ସମ୍ପର୍କ ରଖିବାର ଅଧିକାର ରହିବ।
ଆଉ ଯଦି କୌଣସି ବିବାହିତ କିମ୍ବା ଅବିବାହିତ ମହିଳା ଏବଂ ପୁରୁଷ ଏହି ଆଇନକୁ ଉଲ୍ଲଂଘନ କରନ୍ତି, ତା’ ହେଲେ ସେମାନଙ୍କୁ ଏକ ବର୍ଷ ପାଇଁ ଜେଲ୍ ଯିବାକୁ ପଡ଼ିପାରେ। ଏଥି ସହିତ ସେମାନଙ୍କ ଉପରେ ଜରିମାନା ବି ଲାଗିପାରେ। ବର୍ତ୍ତମାନ ଇଣ୍ଡୋନେସିଆ ସରକାର ଏହି ନୂଆ ଆଇନର ପ୍ରସ୍ତାବକୁ ନେଇ ଏକ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ଏବଂ ଖୁବ୍ ଜଲ୍ଦି ଏହାକୁ ସଦନରେ ଉପସ୍ଥାପନ କରିବେ। ଏହାପରେ ଆଇନକୁ କାର୍ଯ୍ୟକାରୀ କରାଯିବ। ନୂଆ ଆଇନ ଆଗାମୀ ସପ୍ତାହର ପ୍ରାରମ୍ଭିକ ଦିନରେ ପାରିତ କରାଯିବାର ସମ୍ଭାବନା ରହିଛି।
ରିପୋର୍ଟ ଅନୁସାରେ, କେହି ବି ନିଜ ସ୍ୱାମୀ କିମ୍ବା ସ୍ତ୍ରୀଙ୍କ ବ୍ୟତୀତ ଆଉ କାହା ସହିତ ଶାରୀରିକ ସମ୍ବନ୍ଧ ରଖି ପାରିବେ ନାହିଁ। ଯଦି କେହି ରଖନ୍ତି, ତା’ ହେଲେ ତାଙ୍କୁ ଗୋଟିଏ ବର୍ଷ ଜେଲ୍ଦଣ୍ଡ ସହିତ ଜରିମାନା ଦେବାକୁ ପଡ଼ିପାରେ। ଏଭଳି କାର୍ଯ୍ୟାନୁଷ୍ଠାନ ସେହି ଲୋକଙ୍କ ଉପରେ ନିଆଯିବ, ଯେଉଁମାନେ ବିନା ବିବାହରେ ନିଜ ପାର୍ଟନରଙ୍କ ସହ ଶାରୀରିକ ସମ୍ବନ୍ଧ ସ୍ଥାପନ କରିବେ। ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ସେତେବେଳେ ଗ୍ରହଣ କରାଯିବ, ଯେତେବେଳେ କୌଣସି ମହିଳା ଏବଂ ପୁରୁଷ ନିଜ ପାର୍ଟନରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବେ କିମ୍ବା ଅବିବାହିତମାନଙ୍କ ଅଭିଭାବକ ଏ ନେଇ ଅଭିଯୋଗ କରିବେ।
କୋର୍ଟରେ ଟ୍ରାଏଲ ଚାଲିବା ପୂର୍ବରୁ ଅଭିଯୋଗ ଫେରାଇ ନିଆଯାଇ ପାରିବ। କିନ୍ତୁ ଯଦି କୋର୍ଟରେ ଟ୍ରାଏଲ ଆରମ୍ଭ ହୋଇଯାଏ, ତା’ ହେଲେ ଆଇନ ହିସାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କହି ରଖୁଛୁ, ଇଣ୍ଡୋନେସିଆରେ ପାଖାପାଖି ୩ ବର୍ଷ ତଳୁ ହିଁ ଏହି ଆଇନକୁ ଲାଗୁ କରିବା ପାଇଁ ପ୍ରସ୍ତୁତି ଚାଲିଥିଲା। ହେଲେ ଏହା ବିରୋଧରେ ହଜାର ହଜାର ଲୋକ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଯାହାଫଳରେ ସରକାର ପଛକୁ ହଟିବାକୁ ବାଧ୍ୟ ହୋଇଥିଲେ। ସେହି ସମୟରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକେ ଏହି ଆଇନକୁ ‘ଫ୍ରିଡମ୍ ଅଫ୍ ସ୍ପିଚ୍’ର ଉଲ୍ଲଂଘନ ବୋଲି କହିଥିଲେ।