ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳର କେନାଲ ବନ୍ଧରେ ଥିବା ସାଇଶ୍ରୀ ଏନ୍କ୍ଲେଭ୍ଏକ ନାମକ ଆପାର୍ଟମେଣ୍ଟରେ ଦୀର୍ଘଦିନ ହେବ ଚାଲିଥିଲା ଦେହ ବେପାର । ଅଭିଯୋଗ ପାଇଲା ପରେ ଯୋଜନା ଅନୁସାରେ ଅଚାନକ ଚଢଉ କରିଥିଲା ପୋଲିସ । ଫଳରେ ଫ୍ଲାଟ୍ ମାଲିକାଣୀଙ୍କ ଝିଅ (ରାଣୀ ମହୁମାଛି) ପୁରୀର ଇତିଶ୍ରୀ ମହାପାତ୍ରଙ୍କ ସହିତ ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ ।
ମିଳିଥିବା ସୂଚନା ମୁତାବକ ସେହି ଆପାର୍ଟମେଣ୍ଟର ଏକ ଟୁ ବିଏଚ୍କେ ଫ୍ଲାଟ୍ ଇତିଶ୍ରୀ ମା’ଙ୍କ ନାଁରେ ଅଛି ଯେଉଁଠାରେ ଇତିଶ୍ରୀ ଦୀର୍ଘ ଦିନ ହେବ ଦେହ ବେପାର କରି ଆସୁଥିଲେ । ୫ ଜଣ ରୂପଜୀବୀରୁ ଆରମ୍ଭ କରି ୧୫ ରେ ପହଞ୍ଚି ଥିଲା ତାଙ୍କ ବେପାର । ଗୁରୁତ୍ୱପୂର୍ଣ୍ଣ କଥା ହେଲା କୌଣସି ରୂପଜୀବୀଙ୍କୁ ସେ ଫ୍ଲାଟରେ ରଖୁନଥିଲେ, ବରଂ ଫ୍ଲାଟ୍ ପାଖରେ ଘର ଭଡ଼ା ନେଇ ରଖୁଥିଲେ । ଗ୍ରାହକ ଆସିଲେ ଯାଇ ରୂପଜୀବୀଙ୍କୁ ଡାକୁଥିଲେ ଏବଂ ୩୦ ମିନିଟ ପାଇଁ ଡିଲ୍ କରୁଥିଲେ ୩୦୦୦ ଟଙ୍କା ।
ଦିନକୁ ଦିନ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା, ଫଳରେ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଲୋକଙ୍କୁ ସନ୍ଦେହ ହେଲା । ତେବେ ଏନେଇ ସୋସାଇଟିର ବରିଷ୍ଠ ସଦସ୍ୟମାନେ ଡିସିପିଙ୍କୁ ସୂଚନା ଦେଲେ । ଏହାପରେ ଡିସିପି ଶ୍ରୀ ଦାଶ ଘଟଣା ଉପରେ ନଜର ରଖିବାକୁ ଲକ୍ଷ୍ମୀସାଗର ଥାନା ଅଧିକାରୀ ଭରତ ସାହୁଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଯୋଜନା ଅନୁଯାୟୀ ରବିବାର ଦିନ ବିଳମ୍ବିତ ରାତିରେ ଅଚାନକ ଚଢ଼ଉ କରି ଦୁଇ ଗ୍ରାହକଙ୍କୁ ଗିରଫ କରିଛି ପୋଲିସ । ଉଭୟେ ଅସଞ୍ଜତ ଅବସ୍ଥାରେ ଥିଲେ ଏବଂ ଉଭୟ ସମ୍ପର୍କୀୟ ଭାଇ ବୋଲି ଜଣାପଡ଼ିଛି । ସେପଟେ ମାଲିକାଣୀଙ୍କ ଝିଅ ଇତିଶ୍ରୀ ଖସିଯିବାକୁ ଚେଷ୍ଟା କରିଥିଲେ ହେଁ ପୋଲିସ ତାଙ୍କୁ ଧରି ନେଇଥିଲା । ଚଢ଼ଉ ବେଳେ ଫ୍ଲାଟରୁ ମଦ ବୋତଲ, ସିଗାରେଟ ସହ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି ବୋଲି ପୋଲିସ କହିଛି ।