ସମଗ୍ର ବିଶ୍ୱ କରୋନାଭାଇରସ ସହିତ ମୁକାବିଲା କରୁଥିବା ସମୟରେ ପାକିସ୍ତାନର ପୂର୍ବତନ କ୍ରିକେଟର ଶାହିଦ ଆଫ୍ରିଦି କାଶ୍ମୀର ପ୍ରସଙ୍ଗ ଭଜୁଛନ୍ତି । ଆଫ୍ରିଦିଙ୍କର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କାଶ୍ମୀର ବିଷୟକୁ ନେଇ ଏଣୁତେଣୁ କହୁଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି କାଶ୍ମୀରବାସୀଙ୍କୁ ନିର୍ଯାତନା ଦେଉଛନ୍ତି ଏବଂ ତାଙ୍କୁ ଏହାର ଉତ୍ତର ଦେବାକୁ ପଡ଼ିବ । ଆଫ୍ରିଦି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧର୍ମ ସମ୍ବନ୍ଧରେ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ।
ଏହି ଭାଇରାଲ ଭିଡ଼ିଓ ବିବୃତ୍ତିରେ ବିପକ୍ଷରେ ବିଜେପି ସାଂସଦ ଗୌତମ ଗମ୍ଭୀର ଆଫ୍ରିଦିଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି । ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦି ଏବଂ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀରଙ୍କ ମଧ୍ୟରେ ମୁହାଁମୁହିଁ ଖବର ସବୁବେଳେ ଆସୁଥାଏ ।
ଗୌତମ ଗମ୍ଭୀରଙ୍କ କହିବାନୁଯାୟୀ ୧୬ ବର୍ଷର ଶାହିଦ ଆଫ୍ରିଦି କହିଛନ୍ତି ଯେ ପାକିସ୍ତାନର ୭ ଲକ୍ଷ ସୈନିକ ପଛରେ ୨୦୦ ନିୟୁତ ଲୋକ ଠିଆ ହୋଇଛନ୍ତି । ତଥାପି ବି ତ ୭୦ ବର୍ଷ ଧରି କାଶ୍ମୀର ପାଇଁ ସେମାନେ ଭିକ ମାଗୁଛନ୍ତି । ଇମ୍ରାନ ଖାନ ଏବଂ ବାଜୱାଙ୍କ ପରି ଜୋକରମାନେ ପାକିସ୍ତାନର ଲୋକଙ୍କୁ ବୋକା ବନାଇବା ପାଇଁ ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିଷ ଓଗାଳି ପାରିବେ, କିନ୍ତୁ ବିଚାର ନହେବା ଯାଏଁ କାଶ୍ମୀର ମିଳିବ ନାହିଁ । ବାଂଲାଦେଶ ମନେଅଛି ? ବୋଲି ଟ୍ଵିଟ କରି କହିଛନ୍ତି ଗୌତମ ।
ଏହାପୂର୍ବରୁ ଶାହିଦ ଆଫ୍ରିଦି କାଶ୍ମୀରବାସୀଙ୍କୁ ସମର୍ଥନ କରିବା ପାଇଁ ଆରମ୍ଭ ହୋଇଥିବା ‘କାଶ୍ମୀର ଆୱାର କାର୍ଯ୍ୟକ୍ରମ’କୁ ସମର୍ଥନ କରିଥିଲେ । ତାଙ୍କ ସହ ଅନେକ ପାକିସ୍ତାନୀ କ୍ରିକେଟର ସମୟ ସମୟରେ କାଶ୍ମୀର ବିଷୟରେ ଭାରତ ବିରୋଧୀ ବିବୃତ୍ତି ଦେଇଛନ୍ତି ।
ଜାତିସଂଘର ସଂକଳ୍ପ ଅନୁଯାୟୀ କାଶ୍ମୀରବାସୀଙ୍କୁ ଉପଯୁକ୍ତ ଅଧିକାର ଦିଆଯିବା ଉଚିତ୍ ବୋଲି ପୂର୍ବତନ ଫାଷ୍ଟବୋଲର୍ ଶୋଏବ୍ ଅଖତର୍ କହିଥିଲେ । ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦ୍ କହିଥିଲେ ଯେ ଆମର ପରମାଣୁ ବୋମା ଅଛି, ସଫା କରିଦେବୁ । ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ମଧ୍ୟ କହିଛନ୍ତି ଯେ କାଶ୍ମୀରବାସୀଙ୍କ ଦୁଃଖରେ ସେ ସମାନ ଭାଗରେ ଭାଗୀଦାର ।