ଶାହାରୁଖ ଖାନଙ୍କ ଫିଲ୍ମ ସେଟରୁ ଆସିଛି ଏକ ନୂଆ ଖବର । ଫିଲ୍ମ ‘ପଠାନ’ ର ସେଟରେ ଜୋରଦାର ମାରପିଟ ହେଇଛି । ଏହି ଲଢେଇ ଭିତରେ ସିଦ୍ଧାର୍ଥ ଆନନ୍ଦଙ୍କ ଗାଲରେ ମଧ୍ୟ ଚାପୁଡ଼ା ବାଜିଛି । ତାଙ୍କୁ ଜଣେ ସହ-ନିର୍ଦ୍ଦେଶକ ଚାପୁଡ଼ା ମାରିଥିବା ଜଣାପଡ଼ିଛି ।
ବଲିଉଡ ହଙ୍ଗାମାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୁହାଯାଉଛି ଯେ ନିର୍ଦ୍ଦେଶକ ସିଦ୍ଧାର୍ଥଙ୍କ ସହିତ ସହ-ନିର୍ଦ୍ଦେଶକ ସହମତ ନଥିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ବିବାଦ ଏତେ ବଢିଥିଲା ଯେ ମାରପିଟ ଆରମ୍ଭ ହୋଇଗଲା ଏବଂ ଏହା ଦେଖି ଉପସ୍ଥିତ ସମସ୍ତେ ଅବାକ୍ ହୋଇ ରହିଗଲେ ।

ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିଜ ଫିଲ୍ମକୁ ନେଇ ଅତ୍ୟନ୍ତ ଗମ୍ଭୀର ଥାଆନ୍ତି ଏବଂ ନିଜ କାର୍ଯ୍ୟକୁ ଅତି ଯତ୍ନର ସହିତ କରନ୍ତି । ସେ କୌଣସି ପ୍ରକାର ଭୁଲ ବରଦାସ୍ତ କରିପାରନ୍ତି ନାହିଁ । ‘ପଠାନ’ ସେଟରେ ସେ ଲୋକଙ୍କୁ ମୋବାଇଲ ନଆଣିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ପ୍ରସଙ୍ଗକୁ ନେଇ ସିଦ୍ଧାର୍ଥ ଏତେ ରାଗିଗଲେ ଯେ ନିଜ ସହ-ନିର୍ଦ୍ଦେଶକଙ୍କୁ ତାଗିଦ କରିଥିଲେ ।
ଏହା ପରେ ସହ-ନିର୍ଦ୍ଦେଶକ ରାଗି ବାହାରି ଯାଇଥିଲେ ଏବଂ ସିଦ୍ଧାର୍ଥଙ୍କୁ ଗାଳି ଦେବାକୁ ଲାଗିଲେ । ଏହାସହିତ ଅନ୍ୟ ଲୋକଙ୍କ ବିରୋଧରେ ମଧ୍ୟ ସେ କଥା ହେବା ଆରମ୍ଭ କଲେ । ଏକଥା ଜାଣିଲା ପରେ ସିଦ୍ଧାର୍ଥ ନିଜେ ବାହାରକୁ ବାହାରିଲେ ଏବଂ ବିବାଦ ଆହୁରି ବଢିଲା । ମିଳିଥିବା ଖବର ମୁତାବକ ସିଦ୍ଧାର୍ଥ ସହ-ନିର୍ଦ୍ଦେଶକଙ୍କୁ ଚାପୁଡ଼ା ମାରିଥିଲେ, ସେଇ ରାଗ ରଖି ଅସନ୍ତୁଷ୍ଟ ଆସିଷ୍ଟାଣ୍ଟ ଡାଇରେକ୍ଟର ମଧ୍ୟ ତାଙ୍କୁ ଚାପୁଡ଼ା ମାରିଥିଲେ ।