ସଂସ୍କାର : ବିବାହର ପ୍ରତିଶ୍ରୁତି ଦେଇ ଜଣେ ଆଦିବାସୀ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଆଉ ତାଙ୍କ ଗର୍ଭରେ ବଢୁଥିବା ଛୁଆକୁ ନଷ୍ଟ କରିବା ଭଳି ଏକ ଖବର ବର୍ତ୍ତମାନ ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ଆଦିବାସୀ ମହିଳା ନିଜ ବୟଫ୍ରେଣ୍ଡ ନାମରେ ଚନ୍ଦକା ଥାନାରେ ଏହି ମାମଲାରେ ଅଭିଯୋଗ କରିଛନ୍ତି।

ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ, କଣ୍ଟାବାଡ଼ ଅଞ୍ଚଳର ଜଣେ ଯୁବକଙ୍କୁ ସେ ଛଅ ବର୍ଷ ଧରି ପ୍ରେମ କରୁଥିଲେ। କିନ୍ତୁ ସେ ପୁଅ ବିବାହ କରିବ କହି କହି ଶେଷରେ ମନା କରିଦେଲା। ଆଦିବାସୀ ମହିଳା ଜଣକ ଗଣମାଧ୍ୟମକୁ କହିଛନ୍ତି ଯେ, ଅକ୍ଷୟ ଦାସ ନାମକ ଜଣେ ଯୁବକ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲା। କିନ୍ତୁ ଶେଷରେ ସେ ବିବାହ କରିଲା ନାହିଁ।
ମହିଳା ଜଣକ ଆହୁରି ବି କହିଛନ୍ତି ଯେ, ଅକ୍ଷୟ ତାଙ୍କୁ ବିବାହ ନ କରିବାରୁ ସେ ଅନ୍ୟତ୍ର ବିବାହ କଲେ। କିନ୍ତୁ ଅକ୍ଷୟ ଏହା ସହି ପାରିଲା ନାହିଁ। ଆଉ ତାଙ୍କ ସ୍ବାମୀକୁ ପ୍ରେମ ସମୟର ସବୁ ଫୋଟ ପଠାଇଲା। ଯେଉଁ କାରଣରୁ ତାଙ୍କ ସ୍ୱାମୀ ଆଉ ତାଙ୍କୁ ଗ୍ରହଣ କଲେ ନାହିଁ। ଏହା ଜାଣିବା ପରେ ଅକ୍ଷୟ ତାଙ୍କୁ ନେଇ ପୁଣି ଏକ ନିରାଳ ସ୍ଥାନରେ ରଖିଲା। ଆଉ କିଛି ଦିନ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କ ପିଉସୀ ଘରେ ନେଇ ଛାଡି ଦେଲା।

ତେବେ ମହିଳା ଦାବି ରଖିଛନ୍ତି ଯେ, ତାଙ୍କୁ ଅକ୍ଷୟ ଦାସ ବିବାହ କରନ୍ତୁ ଆଉ ସବୁଦିନ ପାଇଁ ନିଜର କରି ରଖନ୍ତୁ। କାରଣ ସେ ବର୍ତ୍ତମାନ ଲୋକ ଲଜ୍ୟା କାରଣରୁ ନିଜ ଘରକୁ ବି ଯାଇ ପାରୁନାହାନ୍ତି। ଆଉ ନିଜ ସ୍ୱାମୀ ବି ତାଙ୍କୁ ଛାଡି ଦେଇଛନ୍ତି। ସେହି କାରଣରୁ ମହିଳା ଦାବି କରିଛନ୍ତି ଯେ ଅକ୍ଷୟ ଦାସ ତାଙ୍କୁ ବିବାହ କରନ୍ତୁ।