ସଂସ୍କାର : ଜାମ୍ମୁ କାଶ୍ମୀରର କୁଲଗାମ ଏବଂ ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର ହୋଇଛି। ଦୁଇଟି ପୃଥକ ଏନକାଉଣ୍ଟରରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସମସ୍ତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ସହିତ ଜଡିତ ଥିଲେ ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ୪ ଜଣଙ୍କର ଠିକଣା ଚିହ୍ନଟ ହୋଇଛି। ଏହି ୪ ଜଣଙ୍କ ମଧ୍ୟରୁ ୨ ଜଣ ପାକିସ୍ତାନୀ ଲୋକ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ପାକିସ୍ତାନ ଆତଙ୍କବାଦୀ।
କାଶ୍ମୀରର ଇନ୍ସପେକ୍ଟର ଜେନେରାଲ ବିଜୟ କୁମାର କହିଛନ୍ତି ଯେ ଗୁଳି ବିନିମୟରେ ତିନିଜଣ ସେନା କର୍ମଚାରୀ ଏବଂ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଆଉ ଚିକିତ୍ସା ସମୟରେ ଜଣେ ଯବାନଙ୍କର ମୃତ୍ୟୁ ହୋଇଛି। ଅବଶିଷ୍ଟମାନଙ୍କର ଅବସ୍ଥା ସ୍ଥିର ରହିଛି।

ବିଜୟ କୁମାରଙ୍କ ଅନୁଯାୟୀ ପୋଲିସ, ସେନା ଏବଂ CRPF ର ମିଳିତ ଟିମ୍ କୁଲଗାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳି ଚଳାଇଥିଲେ। ପ୍ରତିବଦଳରେ ଆମ ସୈନିକମାନେ ମଧ୍ୟ ଗୁଳି ଚାଳନା କରିଥିଲେ ଆଉ ଏଠାରେ ତିନି ଜଣ ଆତଙ୍କବାଦୀଙ୍କୁ ସଫା କରିଥିଲେ। ଅନ୍ୟ ଜଣେ ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ବର୍ତ୍ତମାନ ସର୍ଚ୍ଚ ଅପରେସନକୁ ଆହୁରି କଡାକଡି କରାଯାଇଥିବା ସୂଚନା ରହିଛି।
ଆଇଜି ବିଜୟ କୁମାର କହିଛନ୍ତି ଯେ ପ୍ରଥମ ଥର ପାଇଁ ସମଗ୍ର କାଶ୍ମୀରରେ ଆତଙ୍କବାଦୀଙ୍କ ସଂଖ୍ୟା ୨୦୦ ରୁ କମ୍ ହୋଇଛି। ସ୍ଥାନୀୟ ଆତଙ୍କବାଦୀଙ୍କ ସଂଖ୍ୟା ମଧ୍ୟ ପ୍ରଥମ ଥର ପାଇଁ ୧୦୦ ରୁ କମ୍ ହୋଇଛି। ଆଉ ଗତ ୩୬ ଘଣ୍ଟା ମଧ୍ୟରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।