ନାସା ଦେଲା ଚେତାବନୀ : ପୃଥିବୀ ଆଡ଼କୁ ମାଡ଼ି ଆସୁଛି ଏକ ବିପର୍ଯ୍ୟସ୍ତ ସୌର ଝଡ଼

ସୌର ଝଡ଼ ନେଇ ନାସା ଦେଇଛି ଏକ ବଡ଼ ଚେତାବନୀ । ସୂର୍ଯ୍ୟଙ୍କ ଦକ୍ଷିଣ ଭାଗରେ ସୃଷ୍ଟି ହୋଇଥିବା ଗୋଟିଏ ବିପର୍ଯ୍ୟସ୍ତ ଝଡ଼ ଏବେ ପୃଥିବୀ ଆଡ଼କୁ ମୁହାଁଇଛି । ପ୍ରତି ସେକେଣ୍ଡ ୫୦୦ କିଲୋମିଟର ବେଗରେ ଆଗେଇ ଆସୁଛି ସୌର ଝଡ଼ର କଣିକା । ସ୍ପେସ୍‌ ୱେଦର ଏକ୍ସପର୍ଟଙ୍କ ସୂଚନାନୁସାରେ ଆମେରିକାର ନ୍ୟାସନାଲ ଓସନିକ୍ ଏଣ୍ଡ ଆଟମୋସ୍ଫିୟର ଅଥରିଟି( ଏନଓଏଏ) କହିଛି ଯେ ସୂର୍ଯ୍ୟରୁ ବାହାରିବା ପରେ ଏହି ଝଡ଼ ଅନ୍ତରୀକ୍ଷରେ ୧୫ କୋଟି କିଲୋମିଟର ଦୂର ଅତିକ୍ରମ କରିଗଲାଣି ।

ତେବେ ଅନୁମାନ କରାଯାଉଛି ଯେ ଏହି ଝଡ଼ ପୃଥିବୀର ବାୟୁମଣ୍ଡଳ ସହିତ ଧକ୍କା ହୋଇପାରେ ଯେଉଁ କାରଣରୁ ଆର୍କଟିକ୍‌ରେ ଔରରା ଦେଖାଯିବ ବୋଲି ଏନଓଏଏ ବିଶେଷଜ୍ଞ ଆଶଙ୍କା କରୁଛନ୍ତି । ଯଦି ଏପରି ହୁଏ ତେବେ ମହାକାଶରେ ଦେଖାଯିବ ନୀଳ ଏବଂ ନୀଳ ରଙ୍ଗର ସୁନ୍ଦର ଦୃଶ୍ୟ ଯାହାକୁ ନର୍ଦ୍ଦନ ଲାଇଟସ୍‌ କୁହାଯାଏ । ଅନ୍ୟପକ୍ଷରେ କିନ୍ତୁ ଏହାଯୋଗୁ ସାଟେଲାଇଟ୍ ଆଧାରିତ ଟେକ୍ନୋଲଜି ପ୍ରଭାବିତ ହୋଇପାରେ ବୋଲି କୁହାଯାଇଛି ।

କେବଳ ସେତିକି ନୁହେଁ ଏହି ଝଡ଼ ଜିପିଏସ୍, ନେଭିଗେସନ, ମୋବାଇଲ ସିଗିନାଲ ତଥା ସାଟେଲାଇଟ୍‌ ଟିଭିରେ ବାଧା ଉପୁଜିପାରେ । ବିଦ୍ୟୁତ ଲାଇନରେ ଉଚ୍ଚଶକ୍ତି ସମ୍ପନ୍ନ ତରଙ୍ଗ ପ୍ରବାହିତ ହେବା ସହିତ ଟ୍ରାନ୍ସଫର୍ମର ପୋଡ଼ିଯିବାର ମଧ୍ୟ ଆଶଙ୍କା ଉପୁଜିଛି । ଯଦିଓ ଏସବୁ ହେବାର ସମ୍ଭାବନା କମ୍‌ ତଥାପି ସତର୍କ ସୂଚନା ଦେଇଛି ନାସା ।

ସୂଚନାଥାଉ ଯେ ୧୮୫୯ ମସିହାରେ ଏହିପରି ଏକ ଝଡ଼ ପୃଥିବୀର ବାୟୁମଣ୍ଡଳ ସହିତ ଧକ୍କା ହୋଇଥିଲାଏବଂ ତତ୍କାଳୀନ ତ୍ୱରିତ ଯୋଗୋଯୋଗ ସେବା ଟେଲିଗ୍ରାଫ ବ୍ୟବସ୍ଥା ଅଚଳ ହୋଇଯାଇଥିଲା । ଏଣୁ ସୌର ଝଡ଼ ପ୍ରଭାବରୁ ଆମର ଟେକ୍ନୋଲଜିକୁ ସୁରକ୍ଷିତ କରିବା ଜରୁରୀ ବୋଲି ବୈଜ୍ଞାନିକ କହିଛନ୍ତି । କାରଣ ଆସୁଥିବା ଏହି ଝଡ଼ରେ ପୃଥିବୀର ଯେଉଁ ଭିତ୍ତିଭୂମି ଧ୍ୱଂସ୍ତ ହେବ ତାକୁ ପୁଣି ଥରେ ଛିଡ଼ା କରିବାକୁ ଅନେକ ବର୍ଷ ଲାଗିଯାଇପାରେ ।

Leave a Reply

Your email address will not be published. Required fields are marked *