ପୁଣିଥରେ ଅଭିନେତା ସୋନୁ ସୁଦ ସାଜିଲେ ସତସତିକା ହିରୋ : କୋଡ଼ିଏ ହଜାର ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀରେ ଦେବେ ଘର

ସମ୍ପ୍ରତ୍ତି କରୋନା ମହାମାରୀ କାରଣରୁ ସାରା ବିଶ୍ଵ ସଙ୍କଟରେ । ଏବେଳେ କିନ୍ତୁ ବେଶୀ କ୍ଷତି ସହିଛନ୍ତି ଗରିବ, ଶ୍ରମିକ ଓ ପ୍ରବାସୀମାନେ । ଏଭଳି ବିପତ୍ତି ସମୟରେ କିନ୍ତୁ ବଲିଉଡ଼ ଅଭିନେତା ସୋନୁ ସୁଦ ପ୍ରବାସୀଙ୍କ ପାଇଁ ସାଜିଛନ୍ତି ଭଗବାନ । କେବଳ ପ୍ରବାସୀ କାହିଁକି ଅନ୍ୟ ଅଭାବୀମାନଙ୍କ ଗୁହାରି ଶୁଣିବାରେ କରି ନାହାନ୍ତି ସେ ହେଳା । ଲକଡାଉନ ସମୟରେ ପାଦରେ ଚାଲିଚାଲି ଘରକୁ ଫେରୁଥିବା ପ୍ରବାସୀଙ୍କୁ ବସ, ଟ୍ରେନ କିମ୍ବା ବିମାନ ଦ୍ଵାରା ପଠାଇବା ହେଉ କି କାହାକୁ ପାଠ ପଢା ବହି କିମ୍ବା ମଇଁଷି କିଣି ଦେବା ହେଉ, ସେ ସବୁବେଳେ ସହଯୋଗର ହାତ ବଢାଇ ଆସିଛନ୍ତି ।

ତେବେ ସୋନୁଙ୍କ ୪୭ତମ ଜନ୍ମଦିନ ଅବସରରେ ସେ ଆଉ ଏକ ବଡ଼ ଘୋଷଣା କରିଛନ୍ତି ଯାହା ପୁଣିଥରେ ତାଙ୍କୁ ବାସ୍ତବ ଜୀବନରେ ରିୟଲ ଲାଇଫ ହିରୋ କରିଛି । ପୂର୍ବରୁ ପ୍ରବାସୀଙ୍କୁ ଚାକିରି ଯୋଗାଇବାରେ ସାହାଯ୍ୟ କରିବେ ବୋଲି ଘୋଷଣା କରିଥିଲେ ଏବଂ ସେଥିପାଇଁ ‘ପ୍ରବାସୀ ରୋଜଗାର’ ନାମକ ଏକ ଆପ ଲଞ୍ଚ କରିଥିଲେ । ଏମିତିକି ନିଜ ପ୍ରୟାସରେ ୫୮ ଜଣ ପ୍ରବାସୀଙ୍କୁ ଚାକିରି ଯୋଗାଇ ଦେଇଥିଲେ ।

ଏବେ କିନ୍ତୁ କୋଡ଼ିଏ ହଜାର ପ୍ରବାସୀ ଶ୍ରମିକଙ୍କୁ ନୋଏଡ଼ାରେ ଘର ଅଫର କରିଛନ୍ତି ସେ ଏବଂ ଏନେଇ ସୋସିଆଲ ମିଡ଼ିଆରେ ଟ୍ଵିଟ କରି ସୂଚନା ଦେଇଛନ୍ତି । ସେଥିରେ ସେ ଲେଖିଛନ୍ତି ଯେ କୋଡ଼ିଏ ହଜାର ଶ୍ରମିକଙ୍କ ପାଇଁ ଘର ତିଆରି କରିବା ନିମନ୍ତେ ନ୍ୟାସନାଲ ଏସୋସିଏସନ ଫର ଏଲିଭେସନ କଣ୍ଟ୍ରାକ୍ଟରର ଅଧ୍ୟକ୍ଷ ଲଳିତ ଠାକୁରଙ୍କ ସହିତ ମିଶି ସେ ୨୪ ଘଣ୍ଟା କାମ କରିବେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ ଥରେ ସୋନୁ ସୁଦ ପ୍ରତିଦିନ କେତେ ଲୋକ ତାଙ୍କ ପାଖକୁ ସାହାଯ୍ୟ ପାଇଁ ଆସିଥାନ୍ତି ତାର ଏକ ତାଲିକା ସୋସିଆଲ ମିଡ଼ିଆରେ ଶେୟାର କରିଥିଲେ । ନିଜେ ଟ୍ୱିଟ କରି ଏନେଇ ସୂଚନା ଦେଇଥିଲେ । ତେବେ ସୂଚନା ଅନୁସାରେ ୧,୧୩୭ ଇ-ମେଲ, ୧୯,୦୦୦ ଫେସବୁକ ମେସେଜ, ୪,୮୧୨ ଇନ୍ସଟାଗ୍ରାମ ମେସେଜ, ୬,୭୪୨ ଟ୍ୱିଟର ମେସେଜ ଇତ୍ୟାଦି । ଦିନକୁ ଏତିକି ଲୋକ ତାଙ୍କୁ ସାହାଯ୍ୟ ମାଗିଥାନ୍ତି । ତେବେ ତାଙ୍କଠାରୁ ସାହାଯ୍ୟ ପାଇଥିବା ଲୋକେ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି ।

Leave a Reply

Your email address will not be published. Required fields are marked *