ଚାଲ ! ଏହି ଲୋକର ଗାଈ ତାକୁ ଫେରାଇ ଦେବା, ଦୟା କରି କେହି ତାଙ୍କ ଠିକଣା କହିବେ କି : କାହିଁକି ଏମିତି କହିଲେ ଅଭିନେତା ସୋନୁ ସୁଦ୍

ଅଭିନେତା ଥିଲେ ହେଲେ ଏ କରୋନା ମହାମାରୀ ସମୟ ତାଙ୍କୁ ଜଣେ ସହୃଦୟବାନ ସମାଜସେବକରେ ସଜେଇ ଦେଲାଣି । ଗରିବ ତଥା ଅଭାବୀଙ୍କ ପାଇଁ ସେ ଭଗବାନ ପାଲଟି ଗଲେଣି । ସେ ଆଉ କେହି ନୁହନ୍ତି ବଲିଉଡ ଅଭିନେତା ସୋନୁ ସୁଦ୍ ଯିଏ  ଫିଲ୍ମରେ ଖଳନାୟକ ଚରିତ୍ରରେ ଅଭିନୟ କରନ୍ତି ହେଲେ ବାସ୍ତବ ଜୀବନରେ ହିରୋ ହେଇ ସମସ୍ତଙ୍କ ହୃଦୟ ଜିଣନ୍ତି । ଲକଡାଉନ ସମୟରେ ହଜାର ହଜାର ପ୍ରବାସୀଙ୍କୁ ନିଜ ଭିଟାମାଟିକୁ ପଠାଇବା ସହିତ ଚାକିରି ହରାଇଥିବା ଲୋକଙ୍କୁ ସାହାଯ୍ୟ ପାଇଁ ଜବ୍ ହଣ୍ଟ୍ ଆପ୍ ଲଞ୍ଚ୍ କରିଛନ୍ତି । ଏବେ ପୁଣି ଜଣେ ଦରଦୀ ମଣିଷ ସାଜି ଗୋଟିଏ ବାପାକୁ ତାର ଶେଷ ପୁଞ୍ଜି ତା ଗାଈ ଫେରେଇ ଦେବାକୁ ଟ୍ଵିଟ କରି କହିଛନ୍ତି ସୋନୁ ।

ଘଟଣାଟି ଏହିପରି । ସୋସିଆଲ ମିଡ଼ିଆରେ କେହିଜଣେ ଏକ ଖବର ପ୍ରକାଶ କଲେ ଯହିଁରେ ଲେଖାଥିଲା ଜଣେ ବ୍ୟକ୍ତି ନିଜ ରୋଜଗାର ପନ୍ଥା, ନିଜର ଦୁଧିଆଳୀ ଗାଈ ବିକ୍ରି କରିଦେଇଛନ୍ତି କେବଳ ତାଙ୍କ ପିଲାଙ୍କ ପାଠପଢା ପାଇଁ । କରୋନା ଓ ଲକଡାଉନ କାରଣରୁ ସ୍କୁଲ କଲେଜ ବନ୍ଦ ଓ ପାଠ ପଢା ଅନଲାଇନ୍ ହେଉଛି । ହେଲେ ସେ ଏତେ ଗରିବ ସ୍ମାର୍ଟ ଫୋନ୍ କାହୁଁ ଦେଖିବେ । ନିଜ ପିଲାଙ୍କ ଅନଲାଇନ୍ କ୍ଲାସ୍ ପାଇଁ ସ୍ମାର୍ଟ ଫୋନ୍ କିଣିବାକୁ କିନ୍ତୁ ସେ ମନସ୍ଥ କଲେ ଓ ଗାଈ ବିକ୍ରି କରି ସ୍ମାର୍ଟ ଫୋନ୍ କିଣିଲେ । ରିଟ୍ଵିଟ ହେଉ ହେଉ ଖବର ପହଞ୍ଚିଲା ସୋନୁ ସୁଦଙ୍କ ପାଖରେ । ଏବେ ସୋନୁ ଲୋକଙ୍କୁ ସେହି ବ୍ୟକ୍ତିଙ୍କ ଠିକଣା ମାଗୁଛନ୍ତି ଓ ଟ୍ଵିଟ କରି ଲେଖିଛନ୍ତି ଯେ ଚାଲ ! ଏହି ଲୋକର ଗାଈ ତାକୁ ଫେରେଇ ଦେବା । କିଏ ତାଙ୍କ ସମ୍ପୂର୍ଣ୍ଣ ଠିକଣା ମୋତେ କହିପାରିବ କି ।

ବାପା ଏକ ଦାୟିତ୍ଵ ଓ ପିଲାଙ୍କ ପାଇଁ କିଛି ବି କରିପାରେର ନଜିର ବୋଲି ପ୍ରମାଣିତ କରିଛନ୍ତି ହିମାଚଳ ପ୍ରଦେଶର ଗୁମର ଗାଁରେ ରହୁଥିବା ଅଭାବୀ କୁଲଦୀପ୍ କୁମାର । ଗତ ମାର୍ଚ୍ଚ ମାସ ସରକାରୀ ଗାଇଡଲାଇନ କାରଣରୁ ପିଲା ଅନଲାଇନ କ୍ଲାସ କଲେ । କୁଲଦୀପଙ୍କ ଦ୍ୱିତୀୟ ଓ ଚତୁର୍ଥ ଶ୍ରେଣୀରେ ପଢୁଥିବା ଦୁଇ ପିଲା କିନ୍ତୁ ଏକ ସ୍ମାର୍ଟ ଫୋନ୍‌ ପାଇଁ ଏଥିରୁ ବଞ୍ଚିତ ହେଲେ ।

ପିଲାଙ୍କୁ ପାଠ ପଢେଇବାକୁ ଯାଇ କୁଲଦୀପ୍ ଟଙ୍କା ଯୋଗାଡ଼ ଲାଗି ବ୍ୟାଙ୍କ, ଘରୋଇ ଅର୍ଥ ଲଗାଣକାରୀଙ୍କୁ ଋଣ ପାଇଁ ଅନୁରୋଧ କରି ବିଫଳ ହେଲାପରେ ବାଧ୍ୟ ହେଇ ରୋଜଗାରିଆ ଓ ଦୁଧିଆଳିଆ ଗାଈ ବିକିଲେ । ୬ ହଜାର ଟଙ୍କାରେ ଗାଈ ବିକି ଦୁଇ ପିଲାଙ୍କ ପାଠ ପଢା ପାଇଁ କିଣିଲେ ସ୍ମାର୍ଟ ଫୋନ୍ ।

Leave a Reply

Your email address will not be published. Required fields are marked *