କ୍ରିକେଟ ଜଗତ ସବୁବେଳେ ଖବରରେ ଥାଏ । କେତେବେଳେ ଏହା ଖେଳାଳିଙ୍କ ମହାନ ପ୍ରଦର୍ଶନ ଯୋଗୁ ତ କେତେବେଳେ ଖେଳାଳିଙ୍କ ଲଜ୍ଜାଜନକ ବ୍ୟବହାର ଯୋଗୁ । ତେବେ ସେକ୍ସ ସ୍କାଣ୍ଡାଲ୍ ଯୋଗୁ ବର୍ତ୍ତମାନ ଶ୍ରୀଲଙ୍କା କ୍ରିକେଟ ବିବାଦରେ । ଅନେକ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଣେ ଅଲରାଉଣ୍ଡର ଯୁବ ସ୍ପିନ୍ ବୋଲର ଜଣେ ମହିଳା ଅଧିକାରୀଙ୍କ ସହିତ ଏକ ହୋଟେଲର ରୁମରେ ଦେଖିବାକୁ ମିଳିଛନ୍ତି ।
କ୍ରିକେଟରଙ୍କ ବିରୋଧରେ ଏଭଳି ଗମ୍ଭୀର ଅଭିଯୋଗ ଆସିବା ପରେ ଶ୍ରୀଲଙ୍କା କ୍ରିକେଟ ଦଳର ଜଣେ ଖେଳାଳି ଏବଂ ମେଡିକାଲ୍ କର୍ମଚାରୀ ଜଣେ ମହିଳା ସଦସ୍ୟଙ୍କ ସହିତ ଦୁଷ୍କର୍ମ ଅଭିଯୋଗ ନେଇ ରିପୋର୍ଟ ମାଗିଛନ୍ତି । ଶ୍ରୀଲଙ୍କା କ୍ରିକେଟ କହିଛି ଯେ ଅନେକ ଗଣମାଧ୍ୟମରେ ଖବର ରହିଛି ଯେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ଖେଳୁଥିବା ଦଳର ଜଣେ ସଦସ୍ୟ ମେଡିକାଲ୍ କର୍ମଚାରୀଙ୍କ ସହିତ ଅସଦାଚରଣ କରିଥିଲେ ।

ଏହି ପ୍ରସଙ୍ଗରେ ବିବାଦ ଉପୁଜୁଥିବା ଦେଖି ତୁରନ୍ତ ଶ୍ରୀଲଙ୍କା କ୍ରିକେଟ ଏନେଇ ଏକ ବିଜ୍ଞପ୍ତି ଜାରି କରିଛି । ଘଟଣାର ଗମ୍ଭୀରତାକୁ ହୃଦୟଙ୍ଗମ କରି ଆମେ ଟିମ୍ ମ୍ୟାନେଜର ଅଂସାଥା ଡ଼ି ମେଲଙ୍କୁ ଏହି ଘଟଣାର ରିପୋର୍ଟ ମାଗିଛୁ ଯଦ୍ଵାରା ଗଣମାଧ୍ୟମ ରିପୋର୍ଟର ସତ୍ୟତା ନିଶ୍ଚିତ ହୋଇପାରିବ ବୋଲି କହିଛନ୍ତି ଶ୍ରୀଲଙ୍କା କ୍ରିକେଟ ।
ସୂଚନାଥାଉ ଯେ ଶ୍ରୀଲଙ୍କା ଏବଂ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । କିନ୍ତୁ ଇତି ମଧ୍ୟରେ ଦଳର କେବଳ ଜଣେ ଖେଳାଳିଙ୍କୁ ନେଇ ବିବାଦ ଦେଖାଦେଇଛି । ଏଭଳି ପରିସ୍ଥିତିରେ ଦଳର ଅସୁବିଧା ବଢିପାରେ ବୋଲି ବିଶ୍ୱାସ କରାଯାଉଛି । ତେବେ ଏହି ଅଭିଯୋଗ ଉପରେ ଦଳର ପ୍ରଶିକ୍ଷକ ମିକି ଆର୍ଥରଙ୍କ ବିବୃତ୍ତି ମଧ୍ୟ ଆସିଛି ଏବଂ ସେ କହିଛନ୍ତି ଯେ ସମସ୍ତ ଖେଳାଳି ବାୟୋ ବବୁଲରେ ରହୁଥିବାରୁ ଏଭଳି ଘଟଣା ସମ୍ଭବ ନୁହେଁ ।