ସଂସ୍କାର : ରାଜ୍ୟରେ ଗତ ଦୁଇ ତିନି ଦିନ ହେଲା ଲଘୁଚାପ ଜନିତ ବର୍ଷା ଲାଗିରହିଥିଲା। ଏହି ଲଘୁଚାପ ବର୍ଷା ଏତେଟା ପ୍ରଭାବିତ କରିପାରିନାହିଁ। ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବୀ ହେବନାହିଁ । ଏହା କ୍ରମଶଃ ଦୁର୍ବଳ ହୋଇଯିବ। ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ଓ ବାତ୍ୟା ଆଡ଼କୁ ଯିବ ବୋଲି ବିଭିନ୍ନ ମଡେଲ ପୂର୍ବାନୁମାନ କରିଥିଲେ । କିନ୍ତୁ ଏହି ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା କ୍ଷୀଣ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପୂର୍ବାନୁମାନ କରିଛି। ଆସନ୍ତା ୨୪ ଘଣ୍ଟାରେ ପୂର୍ବ କେନ୍ଦ୍ରୀୟ ଆରବସାଗର ଓ ଦକ୍ଷିଣ ମହାରାଷ୍ଟ୍ରରେ ହେବାକୁ ଥିବା ଲଘୁଚାପ ପ୍ରଭାବରେ ବର୍ତ୍ତମାନର ଲଘୁଚାପ ଅଧିକ ଘନୀଭୂତ ହେବନାହିଁ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରି କହିଛନ୍ତି ଯେ, ଲଘୁଚାପ ମଙ୍ଗଳବାର ଅବପାତରେ ପରିଣତ ହୋଇଛି । ତେବେ ଲଘୁଚାପ ଘନୀଭୂତ ହୋଇ ଅବପାତ ଅବସ୍ଥାରେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ରହିବ । ସେଠାରେ ପ୍ରାୟ ୪୮ ଘଣ୍ଟା ଯାଏ ରହିବ । ୧୮ ତାରିଖ ମଧ୍ୟାହ୍ନ ପରେ ଏହି ଅବପାତ କ୍ରମଶଃ ଦୁର୍ବଳ ହୋଇଯିବ । ପ୍ରତିକୂଳ ପାଗ ଯୋଗୁ ଅବପାତ ପୁଣି ଲଘୁଚାପକୁ ବଦଳିଯିବ । ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ତାମିଲନାଡୁ ଉପକୂଳ ଛୁଇଁବ ।
ଏହା ଅଧିକ ଘନୀଭୂତ ନହୋଇ ଦୁର୍ବଳ ହେଲେ ମଧ୍ୟ ଏହାର ପ୍ରଭାବରେ ବିଶାଖପାଟଣାରୁ ନେଇ ଦକ୍ଷିଣ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ହେବ । ୧୭, ୧୮ ଓ ୧୯ ତାରିଖରେ ଦକ୍ଷିଣ ଆନ୍ଧ୍ର ଉପକୂଳ ସମେତ ସଂଲଗ୍ନ ତାମିଲନାଡୁରେ ଭାରୀ ବର୍ଷା ହେବ । ସେହିଭଳି ୧୮, ୧୯ ଓ ୨୦ ତାରିଖ ଓଡ଼ିଶା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ।
ତେବେ ଏହି ଲଘୁଚାପ ଅଧିକ ସକ୍ରିୟ ହୋଇନଥିବା ବେଳେ, ଏହା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି। ତେଣୁ ଲଘୁଚାପ ଦୁର୍ବଳ ହେବା ମଧ୍ୟରେ ପାଗ ଶୁଖିଲା ରହିବ ବୋଲି ଆକଳନ କରାଯାଇଛି। ତେବେ ଆଗାମୀ ଦୁଇ ଦିନ ରାଜ୍ୟର ଅନେକ ସ୍ଥାନରେ ଅଳ୍ପ ବହୁତ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।