ବିଧାନସଭା ବାହାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା । ଉତ୍ତର ପ୍ରଦେଶ ବିଧାନସଭା ବାହାରେ କାର୍ଯ୍ୟରତ ଜଣେ ପୋଲିସ ସବ୍-ଇନ୍ସପେକ୍ଟର ସର୍ଭିସ ରିଭଲଭରରେ ନିଜକୁ ଗୁଳି କରିଛନ୍ତି ବୋଲି ଜଣାପଡ଼ିଛି । ବିଧାନସଭାର ପାର୍କିଂ ଅଞ୍ଚଳର ଗେଟ୍ ନଂ ୭ରେ ଏହି ଘଟଣାଟି ଘଟିଥିଲା ବୋଲି ସୂଚନା ମିଳିଛି ।
ତେବେ ଘଟଣାସ୍ଥଳ ତଥା ମୃତଦେହ ନିକଟରୁ ପୋଲିସ ଜବତ କରିଛି ଏକ ସୁଇସାଇଡ଼ ନୋଟ୍ । ସୁଇସାଇଡ଼ ନୋଟ୍ ଅନୁଯାୟୀ ସେ ଏକ ଦୂରାରୋଗରେ ପୀଡ଼ିତ ଥିଲେ ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଥିଲେ । ଏମିତିକି ଆତ୍ମହତ୍ୟା ଭଳି ପଦକ୍ଷେପ ଆପଣାଇ ଥିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସେ କ୍ଷମା ମଧ୍ୟ ମାଗିଛନ୍ତି ତାଙ୍କ ସୁଇସାଇଡ଼ ନୋଟରେ ।

ସୂଚନାଥାଉ ଯେ ମୃତ ପୋଲିସ ଅଧିକାରୀଙ୍କ ନାମ ନିର୍ମଳ ଚୌବେ ଏବଂ ସେ ଚିନହାଟ ଅଞ୍ଚଳରେ ରହୁଥିଲେ । ନିର୍ମଳଙ୍କ ପୋଷ୍ଟିଂ ଲକ୍ଷ୍ନୌର ବାନ୍ଦେରା ଥାନାରେ ହୋଇଥିଲା । ତେବେ ଘଟଣାସ୍ଥଳରୁ ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ପ୍ରାଥମିକ ତଦନ୍ତ ଅନୁସାରେ ଏହା ଏକ ଆତ୍ମହତ୍ୟା ବୋଲି ଜଣାପଡ଼ିଛି ।