ସଂସ୍କାର : ନିଜର ପାରିବାରିକ କଳହ କାରଣରୁ ଦୀର୍ଘ ଦୁଇ ମାସ ହେବ ଓଡିଶାରେ ଚର୍ଚ୍ଚାରେ ରହିଛନ୍ତି ସୁମିତ୍ ଆଉ ତପସ୍ୱିନୀ। ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇତିମଧ୍ୟରେ ତପସ୍ୱିନୀଙ୍କର ଏକ କଥା ବର୍ତ୍ତମାନ ଚର୍ଚ୍ଚାରେ ରହିଛି।
ଗତ ୧୭ ତାରିଖରୁ ପୁଣି ଶଶୁର ଘର ସାମ୍ନାରେ ଧାରଣାରେ ବସି ରହିଛନ୍ତି ତପସ୍ୱିନୀ। ଏହା ମଧ୍ୟରେ ସୁମିତଙ୍କୁ ନେଇ ତପସ୍ୱିନୀଙ୍କ ପକ୍ଷରୁ ଏକ ବଡ଼ ଅଭିଯୋଗ ଆସିଛି। ତପସ୍ୱିନୀ କହିଛନ୍ତି ଯେ, ରାତିରେ ସୁମିତ ଲୁଚି ଲୁଚି ନିଜ ଘରକୁ ଆସୁଛନ୍ତି। ପ୍ରତିଦିନ ରାତିରେ ସୁମିତ ତାଙ୍କ ଘରକୁ ପାଚେରୀ ଡେଇଁ ଆସନ୍ତି ଆଉ ପାଚେରୀ ଡେଇଁ ଯାଉଛନ୍ତି । ଯଦି ତାଙ୍କର ଦେହ ଖରାପ ଅଛି, ସେ କିପରି କାନ୍ଥ ଡେଇଁ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ସେ ଧାରଣାରେ ବସି ରହିବେ ବୋଲି ମଧ୍ୟ କହିଛନ୍ତି।
ତେବେ ଗତ ୧୮ ତାରିଖ ଦିନ ଆଡିସନାଲ ଏସପି, ଏସଡିପିଓଙ୍କ ସହିତ କିଛି ପୋଲିସ ଅଧିକାରୀ ତପସ୍ୱିନୀଙ୍କ ଶ୍ୱଶୁର ଘରେ ପହଞ୍ଚିଥିଲେ। ସୁମିତ କେଉଁଠି ଅଛନ୍ତି ଓ କେଉଁଠାରେ ଚିକିତ୍ସିତ ହେଉଛନ୍ତି ବୋଲି ପୋଲିସ ସୁମିତଙ୍କ ବାପା ପ୍ରମୋଦଙ୍କୁ ପ୍ରଶ୍ନ କରିଥିଲା। ମାତ୍ର ପ୍ରମୋଦ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ । ସୂଚନାଯୋଗ୍ୟ ଯେ, ଗତ ୧୦ ତାରିଖରେ ସୁମିତ ଆସିକା ଚିନିଶିଳ୍ପ ଡାକ ବଙ୍ଗଳାରୁ ଫେରାର ହେବା ପରେ ୧୭ ତାରିଖ ଶୁଣାଣିର ପୂର୍ବଦିନ ଏକ ଅଡିଓ କ୍ଲିପ୍ ରିଲିଜ୍ କରିଥିଲେ। ଅଯଥାରେ ତପସ୍ୱିନୀ ତାଙ୍କୁ ବଦନାମ କରୁଥିବା ସେ ଅଡିଓ ମାଧ୍ୟମରେ କହିଥିଲେ । ୧୭ ତାରିଖ ଦିନ ଏସଡିଜେଏମ୍ କୋର୍ଟ ଏହି ମାମଲାର ଶୁଣାଣିକୁ ୨୦ ତାରିଖକୁ ଘୁଞ୍ଚାଇ ଦେଇଥିଲେ । ସେହିପରି ଅନ୍ୟପଟେ ଏସଡିଜେଏମ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁମିତ ଜିଲ୍ଲା କୋର୍ଟରେ ପିଟିସନ ଦାୟର କରିଥିଲେ। ତା’ର ଶୁଣାଣି ଆସନ୍ତା ୨୭ ତାରିଖରେ ହେବ ବୋଲି କୋର୍ଟ ପକ୍ଷରୁ କୁହାଯାଇଛି ।